ଫେରିଲେ ଶ୍ରୀଜିଉ, ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ

1 min read

ପୁରୀ: ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ର ଶେଷ ହୋଇଛି । ନବଦିନାତ୍ମକ ଯାତ୍ରା ସାରି ଗୁଣ୍ଡିଚା ମନ୍ଦିରରୁ ଫେରିଛନ୍ତି ତିନି ଠାକୁର । ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ରଥ ଦର୍ପ ଦଳନ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଛି ।

ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ଓ ପରେ ମାତା ସୁଭଦ୍ରାଙ୍କ ଦର୍ପଦଳନ ରଥ ଲାଗିବା ପରେ ଶେଷରେ ଝୁଲିଝୁଲି ଆସିଥିଲେ କାଳିଆ ସାଆଁନ୍ତ । ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଆଗକୁ ଆସିବା ପୂର୍ବରୁ ରାଜ ନଅର ଆଗରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଥିଲା । ଗଜପତି ମହାରାଜା ରଥରେ ଲକ୍ଷ୍ମୀ ନାରାୟଣଙ୍କୁ ଭେଟ କରାଯାଇଥିଲେ ।

୯ ଦିନ ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଘୋଷ ଯାତ୍ରାରେ ଯାଇଥିଲେ ମହାପ୍ରଭୁ । ନବଦିନାତ୍ମକ ଯାତ୍ରାସାରି ଆଜି ନୀଳକନ୍ଦର ଫେରିଛନ୍ତି ଶ୍ରୀଜିଉ । ଭକ୍ତର ସମୁଦ୍ରରେ ଭକ୍ତିର ଲହଡ଼ି, ଭକତ ମେଳରେ ବାହୁଡିଛନ୍ତି କାଳିଆ ସାଆଁନ୍ତ ।

ନୀତି ନିର୍ଘଣ୍ଟର ପୂର୍ବରୁ ପହଣ୍ଡି ହୋଇ ୩୫ ମିନିଟ ପୂର୍ବରୁ ହୋଇଥିଲା ରଥଟଣା । ପ୍ରଥମେ ଶ୍ରୀସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯିବା ପରେ ଧାଡ଼ି ପହଣ୍ଡିରେ ଆସିଥିଲେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କୋଟି ଓଡ଼ିଆଙ୍କ ସାଆଁନ୍ତ ମହାପ୍ରଭୁ ଜଗନ୍ନାଥ । ଶ୍ରୀଦିବ୍ୟସିଂହ ଦେବ ଶ୍ରୀନହରରୁ ମେହେନାରେ ଆସି ଛେରାପହଁରା କରିଥିଲେ । ପ୍ରଥମେ ଗଜପତି ବଡଠାକୁରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ସୁନା ଖଡିକାରେ ଛେରାପହଁରା କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ରଥଟଣା ।

ଅପରାହ୍ନ ୩ଟା ୨୪ରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡିବା ଆରମ୍ଭ କରିଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ହୋଇଥିଲା । ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିରରେ । ସେବାୟତମାନେ ସେଠାରେ ୩ ରଥରେ ମାଉସୀ ମାଆଙ୍କ ଦ୍ବାର ପ୍ରସ୍ତୁତ ପୋଡ଼ ପିଠା ଲାଗି କରିଥିଲେ ।

ଆସନ୍ତାକାଲି ସଂକ୍ରାନ୍ତି ଥିବାବେଳେ ବୁଧବାର ସୁନାବେଶ ସହିତ ଗୁରବାର ଅଧରପଣା ଓ ଶୁକ୍ରବାର ନୀଳାଦ୍ରିବିଜେ ନୀତି ଅନୁଷ୍ଠିତ ହେବ । ସୁରକ୍ଷା ପାଇଁ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଏକ ହଜାରରୁ ଊର୍ଦ୍ଧ୍ବ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ପୁରୀର ସମସ୍ତ ପ୍ରବେଶ ପଥରେ ଆରକ୍ଷୀ ବାହିନୀକୁ ମୁତୟନ କରାଯାଇଛି । ବାହୁଡ଼ା ଯାତ୍ରା ପାଇଁ ଟ୍ରାଫିକ ବ୍ୟବସ୍ଥାରେ ମଧ୍ୟ କେତେକ କଟକଣା କରାଯାଇଥିଲା ।