ବାହାନଗା ଟ୍ରେନ ଟ୍ରାଜେଡି: ସମସ୍ତ ୨୮ଟି ଅଚିହ୍ନା ଶବ ସତ୍କାର ଶେଷ

1 min read

ଭୁବନେଶ୍ବର: ସରିଲା ବାହାନଗା ଟ୍ରେଟ୍ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଶବ ସତ୍କାର । ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଆଜି ଭୋରୁ ସରିଛି । ବିଏମ୍ସି ଓ ଏମ୍ସ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ତ ୨୮ଟି ଅଚିହ୍ନା ମୃତଦେହ ଭରତପୁର ଶ୍ମଶାନରେ ସତ୍କାର କରାଯାଇଛି ।

CBIର ଦିଲ୍ଲୀ ଅଧିକାରୀଙ୍କ ଉପସ୍ଥିତିରେ ଏମ୍ସ ପକ୍ଷରୁ ବିଏମସିକୁ ୨୮ଟି ଶବ ହସ୍ତାନ୍ତର କରାଯାଇଥିଲା । ଦୀର୍ଘ ୪ ମାସ ହେଲା କଣ୍ଟେନରେ ଥିଲା ଏହି ଅପରିଚିତ ଶବଗୁଡିକ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ମୃତଦେହ ହସ୍ତାନ୍ତର ଠାରୁ ଶବ ସତ୍କାର ଯାଏଁ ସମସ୍ତ ପ୍ରକ୍ରିୟାର ଭିଡିଓ ଗ୍ରାଫି କରାଯାଇଛି ।

ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଭୁବନେଶ୍ଵରକୁ ୧୯୩ ମୃତଦେହ ଆସିଥିଲା । ଯେଉଁଥିରୁ ୩୧ଟି ମୃତଦେହକୁ ସେମାନଙ୍କ ସମ୍ପର୍କୀୟ ଚିହ୍ନଟ କରିଥିଲେ । ଏହା ପରେ ଏମସକୁ ଆସିଥିଲା ୧୬୨ ମୃତଦେହ । ଏଥିରୁ ୮୧ଟି ଚିହ୍ନଟ ହୋଇ ପାରିନଥିଲା । ମୃତଦେହ ଚିହ୍ନଟ ପାଇଁ ୧୧୦ ଜଣ ଡିଏନଏ ନମୁନା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ଡିଏନଏ ମ୍ୟାଚ୍ ହେବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଅବଶିଷ୍ଟ ୨୮ ମୃତଦେହର ଡିଏନଏ କାହା ସହ ମ୍ୟାଚ୍ ହୋଇ ନଥିବାରୁ ଏମସରେ ସୁରକ୍ଷିତ ଭାବେ ରଖାଯାଇଥିଲା ।