ବାହାନଗା ଟ୍ରେନ ଟ୍ରେଜେଡି: ୩ ଅଚିହ୍ନା ମୃତଦେହ ସତ୍କାର, ପର୍ଯ୍ୟାୟକ୍ରମେ ସତ୍କାର ହେବ ବାକି ୨୫ ମୃତଦେହ

1 min read

ଭୁବନେଶ୍ବର: ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଅଚିହ୍ନା ରହି ଯାଇଥିବା ମୃତଦେହର ସତ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ପ୍ରାଥମିକ ପର୍ଯ୍ୟାୟରେ ୩ଟି ମୃତଦେହର ସଂସ୍କାର କରାଯାଇଛି । ଭରତପୁର ଶ୍ମାଶାନରେ ହୋଇଛି ୩ ଅଚିହ୍ନା ମୃତଦେହର ଅନ୍ତିମ ସଂସ୍କାର ।

ବିଏମସି କର୍ତ୍ତୃପକ୍ଷଙ୍କୁ ଏମ୍ସର ମେଡିକାଲ ଅଧିକ୍ଷକ ଦିଲ୍ଲୀପ ପରିଡ଼ା BMCର ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁଙ୍କୁ ମୃତଦେହ ହସ୍ତାନ୍ତର କରିଥିଲେ । CBIର ଦିଲ୍ଲୀ ଅଧିକାରୀଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିଲା ମୃତଦେହ । CBI ଟିମ୍ ଉପସ୍ଥିତିରେ ଭାରତପୁର ଶ୍ମଶାନରେ ହୋଇଛି ଅନ୍ତିମ ସଂସ୍କାର । ମୃତଦେହ ହସ୍ତାନ୍ତର ଠାରୁ ଶବ ସତ୍କାର ଯାଏଁ ସମସ୍ତ ପ୍ରକ୍ରିୟାର ଭିଡିଓ ଗ୍ରାଫି କରାଯାଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ମୃତଦେହର ହେବ ଅନ୍ତିମ ସତ୍କାର ।

ସୂଚନାଯୋଗ୍ୟ, ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଭୁବନେଶ୍ଵରକୁ ୧୯୩ ମୃତଦେହ ଆସିଥିଲା । ଯେଉଁଥିରୁ ୩୧ଟି ମୃତଦେହକୁ ସେମାନଙ୍କ ସଂପର୍କୀୟ ଚିହ୍ନଟ କରିଥିଲେ । ଏହା ପରେ ଏମସକୁ ଆସିଥିଲା ୧୬୨ ମୃତଦେହ । ଏଥିରୁ ୮୧ଟି ଚିହ୍ନଟ ହୋଇ ପାରିନଥିଲା । ମୃତଦେହ ଚିହ୍ନଟ ପାଇଁ ୧୧୦ ଜଣ ଡିଏନଏ ନମୁନା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ଡିଏନଏ ମ୍ୟାଚ୍ ହେବା ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଅବଶିଷ୍ଟ ୨୮ ମୃତଦେହର ଡିଏନଏ କାହା ସହ ମ୍ୟାଚ୍ ହୋଇ ନଥିବାରୁ ଏମସରେ ସୁରକ୍ଷିତ ଭାବେ ରଖାଯାଇଥିଲା ।