ନନଷ୍ଟପ ଅପରେସନ ପରେ ଅଣ୍ଟା ସଳଖୁଛି ବାହାନଗା ଟ୍ରାକ୍‌, ଟ୍ରେନ ଚଳାଚଳ ସ୍ୱାଭାବିକ

1 min read

ବାହାନଗା: ଟ୍ରେନ ଟ୍ରାଜେଡି ପରେ ସୁଧୁରୁଛି ସ୍ଥିତି। ବାହାନଗା ଷ୍ଟେସନର ଦୁଇଟି ମେନ ଲାଇନରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି। ଦିନ ୧୧ଟା ସୁଦ୍ଧା ଡାଉନ ଲାଇନରେ ୧୦ଟି ମାଲବାହୀ ଟ୍ରେନ ଓ ୬ଟି କୋଚିଂ ଟ୍ରେନ ଯାତାୟାତ କରିଛି। ସେହିପରି ଅପ ଲାଇନରେ ୪ ମାଲବାହୀ ଟ୍ରେନ ଓ ୯ଟି କୋଚିଂ ଟ୍ରେନ ଯାଇଛି। ଏବେ ୧୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ ଟ୍ରେନ ଯାତାୟାତ କରୁଛି ।

ଦୁର୍ଘଟଣାସ୍ଥଳରେ ଟ୍ରେନ ସ୍ପିଡ ଉପରେ କଟକଣା ଲାଗୁ କରାଯାଇଛି । ସନ୍ଧ୍ୟା ସୁଦ୍ଧା ରିଷ୍ଟୋରେସନ କାର୍ଯ୍ୟ ଶେଷ ହେବା ପରେ ଟ୍ରେନର ସ୍ପିଡ ବଢ଼ାଯିବ ବୋଲି ଦକ୍ଷିଣ ପୂର୍ବ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ କହିଛନ୍ତି। ଫେକ୍ ନ୍ୟୁଜ ଉପରେ ବିଶ୍ବାସ ନକରିବାକୁ ରେଳବାଇ ପକ୍ଷରୁ ଅପିଲ କରାଯାଇଛି। କେତେଜଣ ଏସଏମଆରଙ୍କୁ ସସପେଣ୍ଡ ଓ ଜଣେ ଏସଏମଆର ଫେରାର ଥିବା ଖବର ସମ୍ପୂର୍ଣ୍ଣ ମିଛ।

ଦୁର୍ଘଟଣା ସମୟରେ ଡ୍ୟୁଟିରେ ଥିବା ଏସଏମଆର ରେସ୍କ୍ୟୁ ଓ ତଦନ୍ତରେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ଏଭଳି ମିଛ ଖବର ଉପରେ ବିଶ୍ବାସ ନକରିବାକୁ ଦକ୍ଷିଣ ପୂର୍ବ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ କହିଛନ୍ତି। ଦୁଇ ଲୋକୋ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେମାନେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି ବୋଲି ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।