ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ବର ବାବା

ପୁରୀ: ଶ୍ରୀମନ୍ଦିର ଆସି ଜଗନ୍ନାଥ ଦର୍ଶନ କରିଛନ୍ତି ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଶ୍ରୀମନ୍ଦିରରେ ପ୍ରାୟ ୧ଘଣ୍ଟା ରହଣି କାଳରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ମା ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ  ପରେ ଶ୍ରୀମନ୍ଦିର ଭିତରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ବସି ମହାପ୍ରସାଦ ସେବନ କରିଥିଲେ। ନିଜ ଜଗନ୍ନାଥ ଦର୍ଶନ ଅନୁଭୂତି ଖୁବ ସୁନ୍ଦର ରହିଛି ବୋଲି ସେ କହିବା ସହ ଜାନୁଆରୀ ୨୨ରେ ହେବାକୁ ଯାଉଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମସ୍ତ ଭାରତୀୟଙ୍କ ବିଜୟ ବୋଲି କହିଥିଲେ । ତେବେ ଶ୍ରୀମନ୍ଦିର ଯିବା ପୂର୍ବରୁ ସେ ସିଂହଦ୍ୱାର ଠାରେ ନିଜ କଠାଉ ରଖିଦେଇ ଯାଇଥିବା ବେଳେ ତାହାକୁ ମୁଣ୍ଡ ଛୁଇଁ ଦର୍ଶନ କରିବାକୁ ଉତ୍ସୁକତା ଦେଖିବାକୁ ମିଳିଥିଲା ।

ସେପଟେ ହନୁମାନ ସାଧକ ବାବା ବାଗେଶ୍ୱରଙ୍କୁ  ଧବଳେଶ୍ବରଙ୍କ ପୂଜକ ସିତେଶ ପତ୍ରି  ଏକ ପିତ୍ତଳର ଗଦା ଉପହାର ଦେଇଥିଲେ।ଯାହାର ଓଜନ ପ୍ରାୟ ସାଢ଼େ ଛଅ କିଲୋ ଓ ମୂଲ୍ୟ ୧୨ହଜାର ଟଙ୍କା ହେବ ବୋଲି ଶିତେଶ କହିଥିଲେ।ବାବା ଓଡ଼ିଶା ଆସିଲେ ସେ ଏହାକୁ ବାବାଙ୍କୁ ଦେବାପାଇଁ ଟାଙ୍ଗୀସ୍ଥିତ ଭଟିମୁଣ୍ଡାରେ ତିଆରି କରାଇଥିଲେ । ବାଗେଶ୍ୱର ବାବାଙ୍କ ଆସିବା ଖବର ଶୁଣି ତାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ଓ ସିଂହଦ୍ୱାରରେ ପ୍ରବଳ ଭିଡ ଜମିଥିଲା । ଏମିତିକି ସିଂହଦ୍ୱାର ଠାରେ ଏକପ୍ରକାର ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ଥାଉକି, ରବିବାର ଭୁବନେଶ୍ବରରେ ପହଞ୍ଚିଥିଲେ ବାଗେଶ୍ବର ବାବା । ଏହାପରେ କଡ଼ା ସୁରକ୍ଷାରେ ଭିତରେ ସେ ପୁରୀ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ତାଙ୍କୁ ଦେଖିବା ପାଇଁ ଲାଗିଥିବା ଭକ୍ତଙ୍କ ଭିଡ଼ ।