ବାଗଚି ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ଲୋକାର୍ପଣ: ମୁଖ୍ୟମନ୍ତ୍ରୀ କହିଲେ- ସ୍ବାସ୍ଥ୍ୟସେବାରେ ନୂଆ ଯୁଗର ଆରମ୍ଭ

1 min read

ଭୁବନେଶ୍ବର: ବହୁ ପ୍ରତିକ୍ଷିତ ବାଗଚି ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଲୋକାର୍ପଣ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ସମଗ୍ର ଦେଶରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ଭୁବନେଶ୍ୱରରେ ପ୍ରତିଷ୍ଠିତ ଏହି କର୍କଟ ହସ୍ପିଟାଲରେ ୭୫୦ ଶଯ୍ୟା ରହିଥିବା ବେଳେ ଏହା ବାଙ୍ଗାଲୋରର ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଏକ ଶାଖା । ଏଠାରେ ସହଜ ଓ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ପଦ୍ଧତିରେ ଚିକିତ୍ସା କରାଯିବ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏହି ହସ୍ପିଟାଲ ଓଡ଼ିଶାରେ ସ୍ବାସ୍ଥ୍ୟସେବାର ନୂଆ ଯୁଗ ଆରମ୍ଭ କରିଛି । କର୍କଟ ରୋଗ ଚିକିତ୍ସା ପାଇଁ ଆରମ୍ଭ ହୋଇଛି ନୂଆ ଯୁଗ । 5T ମାଧ୍ୟମରେ ସବୁ ହସ୍ପିଟାଲର ରୂପାନ୍ତରଣ ହେଉଛି । ସାରା ଦେଶରେ BSKY ବେଞ୍ଚ ମାର୍କ ସୃଷ୍ଟି କରିଛି । ଆମ ହସ୍ପିଟାଲ ଯୋଜନାରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ସୁବିଧା ଦିଆଯାଉଛି । ବିଭିନ୍ନ ଜିଲ୍ଲାରେ କ୍ୟାନସର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉଛି ।’

ଆଗକୁ ସେ କହିଥିଲେ, ‘କ୍ୟାନସର ପ୍ରତି ସମସ୍ତେ ସଚେତନ ହେବା ଜରୁରୀ । ଆମକୁ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଆଣିବା ଜରୁରୀ । ଆମେ ସୁସ୍ଥ ରହିଲେ ଓଡ଼ିଶା ସୁସ୍ଥ ରହିବ । ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଦେବା ଆମ ସରକାରର ପ୍ରଥମ ଗୁରୁତ୍ବ । ପୂର୍ବ ଭାରତରେ ଉତ୍ତମ ସ୍ବାସ୍ଥ୍ୟସେବା ଦେବାରେ ଓଡ଼ିଶା ଆଗରେ । ରାଜ୍ୟର ବିଭିନ୍ନ ପ୍ରାନ୍ତରେ ନୂଆ ମେଡିକାଲ କଲେଜ ନିର୍ମାଣ କରାଯାଉଛି । ନିୟମିତ ବ୍ୟବଧାନରେ ଡାକ୍ତର ଓ ପାରା ମେଡିକ ପୋଷ୍ଟ ପୂରଣ କରାଯାଉଛି ।’

ସୂଚନାଯୋଗ୍ୟ, ଦେଶରେ କର୍କଟ ରୋଗ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏହି ରୋଗର ନିରାକରଣ ଲାଗି ସମ୍ପ୍ରତି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିର ଆବଶ୍ୟକ‌ତା ରହିଛି । ବାଗଚି ଶ୍ରୀଶଙ୍କରା କର୍କଟ ପ୍ରତିଷ୍ଠାନ ଏହାକୁ ପୂରଣ କରିବାରେ ସମର୍ଥ ହେବ । କର୍କଟ ରୋଗ ଅତ୍ୟନ୍ତ ବ୍ୟୟ ଓ ସମୟ ସାପେକ୍ଷ ରୋଗ ହୋଇଥିବା ବେଳେ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଲାଗି ଲୋକଙ୍କୁ ସାଧାରଣତଃ ରାଜ୍ୟ ବାହାରର ବଡ଼ ବଡ଼ ସହର ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଗାଁ ଗହଳିର ଲୋକଙ୍କ ଲାଗି ବଡ଼ ବଡ଼ ସହରରେ ରହି ଏହି ଚିକିତ୍ସା କରିବା ଅତ୍ୟନ୍ତ ବ୍ୟୟ ସାପେକ୍ଷ । ପୂର୍ବ ଭାରତରେ ଶତକଡ଼ା ୫୦ ପ୍ରତିଶତ ଅର୍ଥାତ୍ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ବ ରୋଗୀ ପ୍ରତିବର୍ଷ କର୍କଟ ରୋଗରେ ପଡୁଥିବା ବେଳେ ସେମାନେ ଚିକିତ୍ସା ଲାଗି ଦକ୍ଷିଣ କିମ୍ବା ଉତ୍ତର ଭାରତର ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ବାଗଚି ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ପରେ ଏହି ଅଭାବ ଦୂର କରାଯିବାକୁ ଲକ୍ଷ୍ୟ ରଖା ଯାଇଛି ।

୪୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କର୍କଟ ହସ୍ପିଟାଲଟି ବାଗଚି ଦମ୍ପତ୍ତିଙ୍କ ସାହାଯ୍ୟ ପାଇଁ ସଫଳ ରୂପ ନେଇଛି । ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ୨୨ ଏକର ଜମି ପ୍ରଦାନ କିରଛନ୍ତି । ସମଗ୍ର ପୂର୍ବ ଭାରତରେ ଅନ୍ୟତମ ବୃହତ୍ କର୍କଟ ହସ୍ପିଟାଲ ଭାବେ ବାଗଚି ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଛି । ଏହା ଲକ୍ଷାଧକ କର୍କଟ ରୋଗୀଙ୍କ ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି କର୍କଟ କେନ୍ଦ୍ରଟି ସମ୍ପୂର୍ଣ ଭାବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ । ଦୈନିକ ୩ ଶହ ରୋଗୀ ଏଠାରେ ରେଡ଼ିଓଥେରାପି ଚିକିତ୍ସା ପାଇବାକୁ ଥିବାବେଳେ ୬୦ ରୋଗୀଙ୍କୁ କେମୋଥେରାପି ପ୍ରଦାନ କରାଯିବାକୁ ସୁବିଧା ରହିଛି । ଦୂରରୁ ଯାତ୍ରା କରୁଥିବା ରୋଗୀଙ୍କ ପାଇଁ ନାମକୁ ମାତ୍ର ଦେୟରେ ସ୍ଵଚ୍ଛ ସମୟ ରହଣି ପାଇଁ ୩୦୦ଟି ଶୀତତାପ ନିୟନ୍ତ୍ରିତ ଗୃହର ବ୍ୟବସ୍ଥା କରାଯାଇଛି ।