ବାଦଶାହାଙ୍କ ନାମରେ ଚାର୍ଜସିଟ୍; ୭୨ ଲକ୍ଷ ଫେକ୍ ଭିଉଜ୍ ପାଇଁ ୭୪ ଲକ୍ଷ ଟଙ୍କା

ମୁମ୍ବାଇ: ବଢିଲା ବାଦଶାହାଙ୍କ ଅଡ଼ୁଆ । ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ରାପର ବାଦଶାହାଙ୍କ ବିରୋଧରେ ଦାଖଲ କରିଛି ୪୪୬ ପୃଷ୍ଠାର ଚାର୍ଜସିଟ । ଜାଲ୍ ଦର୍ଶକ ବା ଫେକ୍ ଭିଉଜ ମାମଲାରେ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ସାଉଁଟିଛି କ୍ରାଇମବ୍ରାଞ୍ଚ । ଏକ ଭିଡିଓର ଲୋକପ୍ରିୟତା ବଢାଇବା ସହ ୭୨ ଲକ୍ଷ ଫେକ୍ ଭିଉଜ୍ ଲାଗି ଆଦିତ୍ୟ ପ୍ରତୀକ ସିଂ ଓରଫ ବାଦଶାହା ପ୍ରଦାନ କରିଥିଲେ ୭୪ ଲକ୍ଷ ଟଙ୍କା । ଏହି ମାମଲାର ୫ ଅଭିଯୁକ୍ତ, ୩୬ ଜଣ ସାକ୍ଷୀଙ୍କୁ ଜେରା ପରେ ଏହି ଚାର୍ଜସିଟ ଦାଖଲ କରାଯାଇଛି ।

ଏହି ମାମଲାରେ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଗିରଫ ହୋଇଥିବା ବେଳେ, ବାଦଶାହା ଓ କୋଏନା ମିତ୍ର ସାକ୍ଷୀ ଭାବେ ରହିଛନ୍ତି । ଜଣେ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ ନିକଟରେ କହିଛନ୍ତି ସେ ଏହି ଗୀତର ଭିଉଜ୍ ବଢାଇବା ଲାଗି ୭ରୁ ୮ ଜଣ ଫଲୋର୍ସଙ୍କୁ ନିୟୋଜିତ କରିଥିଲେ । ଅନ୍ୟ ଜଣେ ଅଭିଯୁକ୍ତ ତଥା ବୈଷୟିକ ସହଯୋଗୀ ବୟାନ ଦେଇଥିଲେ ଯେ, ଏହି ଘଟଣାରେ କିଛି ସେଲିବ୍ରେଟି ସମ୍ପୃକ୍ତ ଥିଲେ ମଧ୍ୟ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯାଉନାହିଁ । ବାଦଶାହାଙ୍କ ଲାଗି କାମ କରିଥିବା କମ୍ପାନୀର ସିଏଫଓ କହିଛନ୍ତି, ଭିଡିଓର ଭିଉଜ ବଢାଇବା ଲାଗି ତାଙ୍କୁ ବାଦଶାହା ୭୪ ଲକ୍ଷ ୨୬ ହଜାର ୩୭୦ଟଙ୍କା ପ୍ରଦାନ କରିଥିଲେ । ଏକ ଜାଲ୍ ଆଇଡି ଜରିଆରେ ଇନଷ୍ଟାଗ୍ରାମରେ ଲୋକଙ୍କ ସହ ଯୋଗସୂତ୍ର ରକ୍ଷା କରୁଛନ୍ତି ବୋଲି ଗୀତର ଗାୟିକା ଭୂମି ତ୍ରିବେଦୀ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଏହାର ପର୍ଦ୍ଦାଫାସ୍ ହୋଇଥିଲା । ଜେରା ବେଳେ ଖୋଦ୍ ବାଦଶାହା ସ୍ୱୀକାର କରିଥିଲେ ଯେ, ତାଙ୍କର ଏହି ଭିଡିଓ ବିଶ୍ୱ ରେକର୍ଡ ସୃଷ୍ଟି କରିବା ଲାଗି ସେ ଫେକ୍ ଭିଉଜ କ୍ରୟ କରୁଥିଲେ ।

Leave a Reply