କାହାର ହେବ ବଡ଼ମ୍ବା?

1 min read

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଗଣତନ୍ତ୍ରର ମହାପର୍ବ । ସଭା ଶୋଭାଯାତ୍ରାରେ କମ୍ପୁଛି ଗାଁ ଦାଣ୍ଡ। କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନମଣ୍ଡଳିରେ ପାରା ହାଇ । ୧୯୫୭ ମସିହାରେ ଗଠିତ ବଡ଼ମ୍ବା ନିର୍ବାଚନମଣ୍ଡଳିରେ ବଢ଼ିବାରେ ଲାଗିଛି ରାଜନୈତିକ ଉଷ୍ମତା । କିଏ ହାତେଇବ ବଡ଼ମ୍ବା ଆସନ ? ଚାଲିଛି କଳ୍ପନାଜଳ୍ପନା । ଆସନ୍ତା ୨୫ ତାରିଖରେ ଏଠାରେ ଭୋଟ ଗ୍ରହଣ କରାଯିବ । ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ସ୍ଥିତି ଉପରେ ଏକ ନଜର ।

ନରସିଂହପୁର ଓ ବଡ଼ମ୍ବା ବ୍ଲକକୁ ନେଇ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ଗଠିତ । ଏଠାରେ ୨ ଲକ୍ଷ ୪୬ ହଜାର ୧୦୩ ଜଣ ଭୋଟର ମତାଧିକାର ସାବ୍ଯସ୍ତ କରିବେ। ସେମାନଙ୍କ ମଧ୍ଯରେ ପୁରୁଷ ୧  ଲକ୍ଷ ୨୯ ହଜାର ୧୮୩, ମହିଳା ୧ ଲକ୍ଷ ୧୬ ହଜାର ୮୯୯ ଓ ତୃତୀୟ ଲିଙ୍ଗୀ ଭୋଟର ୨୧ ଜଣ ଅଛନ୍ତି । ନୂତନ ଭାବେ ମତଦାନ କରିବେ ୭ ହଜାର ଭୋଟର । ଚଳିତ ଥର ବଡ଼ମ୍ବାରେ  ୪ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡିରୁ ଦେବୀପ୍ରସାଦ ମିଶ୍ର, ବିଜେପିରୁ ସମ୍ବିତ ତ୍ରିପାଠୀ, କଂଗ୍ରେସରୁ ସଞ୍ଜୟ କୁମାର ସାହୁ ଓ ସ୍ଵାଧୀନ ଭାବେ ବିଜୟ କୁମାର ଦଳବେହେରା ନିର୍ବାଚନ ଲଢୁଛନ୍ତି । ଜୋରଦାର ପ୍ରଚାର ଚାଲିଛି ।

୨୦୦୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ବିଜୟୀ ହୋଇଥିଲେ । ୨୦୦୯ରେ ପୁଣି ବିଜେଡି ପ୍ରାର୍ଥୀ ଭାବେ  ବିଜୟୀ ହୋଇଥିଲେ ଦେବୀପ୍ରସାଦ ମିଶ୍ର । ୨୦୧୪ରେ ବିଜେଡି ପ୍ରାର୍ଥୀ ଦେବୀପ୍ରସାଦ ମିଶ୍ର ବିଜେତା ହୋଇଥିଲେ । କଂଗ୍ରେସରୁ ଲକ୍ଷ୍ମୀ ଦେବୀ ଏବଂ ବିଜେପିରୁ ବିଭୁଦତ୍ତ ପଟ୍ଟନାୟକ ନିର୍ବାଚନ ଲଢ଼ିଥିଲେ। ୨୦୧୯ରେ ବିଜେଡିରୁ ଦେବୀ ମିଶ୍ର ପୁଣି କରିଥିଲେ ବାଜିମାତ୍ । ଦେବୀପ୍ରସାଦ ମିଶ୍ର ୯୦ ହଜାର ୫୬୪ ଭୋଟରେ ବିଜୟୀ ହୋଇଥିଲେ । ବିଜେପିର ବିଜୟ ଦଳବେହେରା ୭୨ ହଜାର ଓ କଂଗ୍ରେସର ବବି ମହାନ୍ତିଙ୍କୁ ୬ ହଜାର ଭୋଟ ମିଳିଥିଲା । ଚଳିତ ନିର୍ବାଚନରେ ବିକାଶ ହିଁ ପ୍ରମୁଖ ମୁଦ୍ଦା ସାଜିଛି ବୋଲି ସାଧାରଣ ଜନତା କହିଛନ୍ତି ।

ବଡ଼ମ୍ବା ନିର୍ବାଚନମଣ୍ଡଳୀରେ ଗତ ୫ ବର୍ଷ ମଧ୍ୟରେ ରାଜ୍ଯ ସରକାରଙ୍କ ପ୍ରଚେଷ୍ଟାରେ  ଫାଇଭ -ଟି ସ୍କୁଲ ରୂପାନ୍ତରଣ, ମେଡିକାଲଠାରୁ ଆରମ୍ଭ କରି ପର୍ଯ୍ୟଟନସ୍ଥଳୀ, ରାସ୍ତା ଓ ବ୍ରିଜ ଆଦି ନିର୍ମାଣ ସହ ବିକାଶ କାମ ହୋଇଛି  । ଏହାକୁ ବିଜେଡି ନିର୍ବାଚନୀ ପ୍ରସଙ୍ଗ କରିଛି। ଅନ୍ଯ ପ୍ରାର୍ଥୀମାନେ ନିଜ ନିଜ ପ୍ରସଙ୍ଗ ନେଇ ପ୍ରଚାର କରୁଛନ୍ତି।