ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ବିରାଟ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: କୋହଲିଙ୍କ ନୂଆ କୀର୍ତ୍ତିମାନ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି ବିରାଟ କୋହଲି । ଏହାସହ ଅନେକ ନୂଆ କୀର୍ତ୍ତମାନର ଅଧିକାରୀ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ମ୍ୟାଚରେ କ୍ୟାରିୟରର ୨୯ତମ ଟେଷ୍ଟ ଶତକ ହାସଲ କରିବା ସହ ବ୍ୟାଟିଂ ହାର ପୁଣି ଥରେ ୫୦ ପାଖାପାଖି ପହଞ୍ଚିଛି ।

ଦୀର୍ଘ ୫ ବର୍ଷ ପରେ ବିଦେଶୀ ମାଟିରେ ଶତକ ହାସଲ କରିଛନ୍ତି ବିରାଟ । କୋହଲି ଏହି ମ୍ୟାଚ ସହ ଅନ୍ତର୍ଜାତୀୟ କ୍ରିକେଟର ୫ଶହ ତମ ମ୍ୟାଚ ଖେଳିଛନ୍ତି । ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ଅର୍ଜନ କରିବାରେ ବିରାଟ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି । ପୂର୍ବରୁ ବିଶ୍ୱର ୯ ଜଣ କ୍ରିକେଟର ୫ଶହଟି ମ୍ୟାଚ ଖେଳିଥିଲେ ମଧ୍ୟ କୌଣସି ବ୍ୟାଟ୍ସମ୍ୟାନ ଶତକ ଅର୍ଜନ କରିନାହାନ୍ତି । କୋହଲିଙ୍କ ଶତକୀୟ ଇନିଂସ ବଳରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ଭାରତ ୪୩୮ ରନ୍‌ର ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଛି । ଭାରତ ୪୩୮ ରନରେ ଆଉଟ ହେବା ପରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଭଲ ଆରମ୍ଭ କରିଛି । ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ ୧ ଓ୍ବିକେଟ ହରାଇ ୮୬ ରନ କରିଛି ।