ଆଜି ମଣିପୁର ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ରିଲିଫ କ୍ୟାମ୍ପରେ ଲୋକଙ୍କୁ ସାକ୍ଷାତ କାର୍ଯ୍ୟକ୍ରମ
ଇମ୍ଫାଲ: ଆଜି ମଣିପୁର ଗସ୍ତରେ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଣିପୁରରେ ଗତ ଦୁଇ ମାସ ଧରି ଲାଗି ରହିଥିବା ହିଂସାକୁ ବନ୍ଦ କରିବା ପାଇଁ ଅପିଲ କରିବେ ରାହୁଲ । ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଶାନ୍ତି ଫେରିବାର ନାଁ ଧରୁନି । ଲୋକମାନେ ଇଣ୍ଟରନେଟଠାରୁ ଆରମ୍ଭ କରି ଅନେକ ପ୍ରକାରର ମୌଳିକ ଅଧିକାରରୁ ବଞ୍ଚିତ ହୋଇ ରହିଛନ୍ତି । ଦିନକୁ ଦିନ ମଣିପୁରର ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ କେନ୍ଦ୍ର ସରକାରଙ୍କ ଶାନ୍ତି ଫେରିବା ଆଶ୍ବସନା ଫେଲ ମାରୁଛି । ରାହୁଲ ଗାନ୍ଧୀଙ୍କ ଏହି ଗସ୍ତ ସମୟରେ ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ରିଲିଫ କ୍ୟାମ୍ପରେ ଭେଟିବେ ।
ଇମ୍ଫାଲ ଓ ଚୁରାଚାନ୍ଦୁପରରେ ସିଭିଲ ସୋସାଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ମଣିପୁରରେ ଲାଗିଥିବା ନିଆଁ ଲିଭାଇବାର ଆବଶ୍ୟକତା ରହିଛି ଏହା ଦ୍ବାରା ବିବାଦରୁ ଶାନ୍ତିକୁ ଫେରିବ । ଏହା ଏକ ମାନବୀୟ ଟ୍ରାଜେଡି । ଘୃଣା ବଦଳରେ ପ୍ରେମର ଫୋର୍ସ ଭାବେ ଛିଡ଼ା ହେବା ଆରମ୍ଭ ଦାୟିତ୍ବ ବୋଲି କଂଗ୍ରେସ ନେତା କହିଛନ୍ତି । ଗତ ମେ’ ମାସରୁ ମୈତୈ ଓ କୁକି ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଯୋଗୁ ମଣିପୁରରେ ହିଂସା ଲାଗି ରହିଛି । ଏଥିରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ହଜାର ହଜାର ଲୋକ ଘର ଛାଡ଼ି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ।