ସୁସ୍ଥ ହେଉଛନ୍ତି ସହଦେବ, ପ୍ରଶଂସକଙ୍କୁ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ: ‘ବଚପନ୍ କା ପ୍ୟାର୍’ ଗୀତ ଗାଇ ରାତାରାତି ଷ୍ଟାର୍ ବନି ଯାଇଥିବା ସହଦେବ ସୁସ୍ଥ ହେଉଛନ୍ତି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହେବା ପରେ ସବୁ ପ୍ରଶଂସକ ଓ ମେଡିକାଲ ଷ୍ଟାଫ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ସହଦେବ । ଯେତେବେଳେ ଗୁରୁତର ସହଦେବଙ୍କ ଫଟୋ ସୋସିଆଲ ମିଡିଆରେ ଆସିଥିଲା ତାଙ୍କ ପ୍ରଶଂସକମାନେ ଭାଙ୍ଗି ପଡ଼ିଥିଲେ । ଶୀଘ୍ର ସହଦେବ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଥିଲେ ।

ସହଦେବ ଏକ ଭିଡିଓ ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ପ୍ରଶଂସକ ଓ ଡାକ୍ତରୀ ଟିମକୁ ଧନ୍ୟବାଦ ଦେଇଛନ୍ତି । କ୍ୟାପସେନରେ ସେ ଲେଖିଛନ୍ତି, ‘କିଛି କହିବାକୁ ଶବ୍ଦ କମ ପଡୁଛି । ଆପଣମାନଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ । ହୃଦୟରୁ ଡ. ଦେବେନ୍ଦ୍ର ନାୟକ ସାରଙ୍କୁ ଧନ୍ୟବାଦ ।’ ସହଦେବ ହାତ ଯୋଡ଼ି ସମସ୍ତଙ୍କୁ ଧନ୍ୟବାଦ ଦେଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ବହୁତ ଖୁସି ଦେଖା ଯାଉଛନ୍ତି । ତାଙ୍କ ହସ ଦେଖି ପ୍ରଶଂସକ ମଧ୍ୟ ବହୁତ ଖୁସି ହୋଇଯାଇଛନ୍ତି ।

ସହଦେବଙ୍କ ଏହି ଭିଡିଓରେ ରାପର୍ ବାଦଶାହ ମଧ୍ୟ କମେଣ୍ଟ ଦେଇଛନ୍ତି । ସହଦେବ ମଧ୍ୟ କମେଣ୍ଟ ବକ୍ସରେ ହୃଦୟରୁ ଧନ୍ୟବାଦ ବୋଲି ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ଦୁର୍ଘଟଣା ପରେ ସହଦେବଙ୍କୁ ସାହାଯ୍ୟ କରିବାକୁ ବାଦଶାହ ପ୍ରଥମେ ଆଗକୁ ଆସିଥିଲେ । ତାଙ୍କ ସ୍ବାସ୍ଥ୍ୟ ଉପରେ ପୂରା ନଜର ରଖିଥିଲେ । ବାଦଶାହଙ୍କ ଗୀତ ବଚପନ କା ପ୍ୟାର୍ ସହଦେବ ଗାଇଥିଲେ । ସହଦେବ ଓ ବାଦଶାହଙ୍କ ଯୋଡି ୨୦୨୧ ଜୁଲାଇରେ ଗାଇଥିବା ଏହି ଗୀତ ହିଟ୍ ହୋଇଥିଲା ଓ ରାତାରାତି ସହଦେବ ଷ୍ଟାର୍ ବନି ଯାଇଥିଲେ ।

Leave a Reply