ଆଗୁଆ ଜାମିନ ପାଇଁ ହାଇକୋର୍ଟକୁ ଗଲେ ବାବୁସାନ

କଟକ: ଆଗୁଆ ଜାବିନ ପାଇଁ ହାଇକୋର୍ଟକୁ ଗଲେ ବାବୁସାନ । ପତ୍ନୀ ତୃପ୍ତି ଶତପଥିଙ୍କ ଅଭିଯୋଗ ଆଧାରରେ ଆଇପିସି ୪୯୮ ‘ଏ’ରେ ହୋଇଛି ମାମଲା । ଖାରବେଳ ନଗର ଥାନାରେ ବାବୁସାନଙ୍କ ନାଁରେ ତୃପ୍ତି ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ଆଜି ବାବୁସାନ ଓଡ଼ିଶା ଫେରିବା ପରେ ୪ ଦିନ ହେଲା ଲାଗିଥିବା ହାଇଡ୍ରାମାରେ ଯବନିକା ପଡିଛି । ଆଜି ସକାଳ ପ୍ରାୟ ସାଢେ ୮ଟାରେ ଚେନ୍ନାଇରୁ ବିମାନ ଯୋଗେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ବାବୁସାନ । ସେଠାରୁ ସେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ଘରେ ଥିବା ନିଜ ବାପାମାଆଙ୍କ ପାଖକୁ ଯାଇଥିଲେ । ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଥିଲେ ବାବୁସାନ । ଗତକାଲି ବାବୁସାନ ମହାନ୍ତି ଚେନ୍ନାଇ ଏୟାରପୋର୍ଟରେ ଥିବା ଭିଡିଓ ସାମ୍ନାକୁ ଆସିଥିଲା । ହେଲେ ଏହାପରେ ବି ସେ ଭୁବନେଶ୍ବର ଫେରି ନ ଥିଲେ ।

ବାବୁସାନ, ପ୍ରକୃତି, ତୃପ୍ତି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଥିବା ବେଳେ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ ପ୍ରକୃତି ମିଶ୍ର । ଏହାପରେ ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରିଥିଲା ଖାରବେଳନଗର ଥାନା ପୋଲିସ । ଏପଟେ ବାବୁସାନଙ୍କୁ ଆଜି ଭୁବନେଶ୍ବରରେ ପହଞ୍ଚିଥିବାରୁ ତାଙ୍କୁ ପଚରାଉଚରା କରିପାରେ ପୋଲିସ । ରାଜଧାନୀରେ ବାବୁସାନ, ତୃପ୍ତି, ପ୍ରକୃତିଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିବା ବେଳେ ଚେନ୍ନାଇ ପଳାଇଥିଲେ ବାବୁସାନ ଓ ପ୍ରକୃତି ।