ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ଖୋଲାଖୋଲି ବାହାରିଲେ ବାବା ରାମଦେବ

ନୂଆଦିଲ୍ଲୀ: ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସପକ୍ଷରେ ଖୋଲାଖୋଲି ବାହାରିଲେ ବାବା ରାମଦେବ । କିଛି ସପ୍ତାହ ଧରି ଦିଲ୍ଲୀ ଯନ୍ତର ମନ୍ତରରେ ଚାଲିଥିବା ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ, ସଂଗଠନ ସମର୍ଥନ କରିଥିବା ବେଳେ ରାମଦେବ ଏବେ ନିଜର ସମର୍ଥନ ଘୋଷଣା କରିଛନ୍ତି । ଏପରିକି କୁସ୍ତିଯୋଦ୍ଧା ସଂଗଠନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ବିଷୋଦଗାର କରିବା ସହ ତାଙ୍କୁ ଜେଲରେ ପୂରାଇବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ବାବା ରାମଦେବ ବିବୃତିରେ କହିଛନ୍ତି, କୁସ୍ତିଯୋଦ୍ଧା ସଭାପତିଙ୍କ ବିରୋଧରେ ଆନ୍ଦୋଳନରତ ଯୋଦ୍ଧାମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଲଜ୍ଜାଜନକ । ଏହି ଧରଣର ଲୋକଙ୍କୁ ତୁରନ୍ତ ଗିରଫ କରିବା ସହ ଜେଲରେ ପୂରାଇବା ଜରୁରୀ । ବ୍ରିଜଭୂଷଣଙ୍କ ନାଁରେ ଯେଉଁ ସବୁ ଅଭିଯୋଗ ଆସିଛି ତାହା ଅତ୍ୟନ୍ତ ନିନ୍ଦନୀୟ ।

ରାଜସ୍ଥାନର ଭିଲଓ୍ବାରାରେ ଆୟୋଜିତ ତିନିଦିନିଆ ଯୋଗ ଶିବିର ଅବସରରେ ରାମଦେବ ଏହି ସୂଚନା ଦେଇଛନ୍ତି । ରାମଦେବ କହିଛନ୍ତି, ସେ ବୌଦ୍ଧିକତା ଦୃଷ୍ଟିରୁ ଠିକ୍ ଅଛନ୍ତି । ମାନସିକ ବା ବୌଦ୍ଧିକ ଭାବେ ସେ ଉନ୍ନତ ଅଛନ୍ତି । ଦେଶ ଲାଗି ତାଙ୍କର ଦୂରଦୃଷ୍ଟି ରହିଛି । ବ୍ରିଜଭୂଷଣଙ୍କ ବିରୋଧରେ ସଂଗୀନ ଦଫାରେ ମାମଲା ରୁଜୁ ହୋଇଥିବା ସତ୍ତ୍ବେ ତାଙ୍କୁ ଗିରଫ କରାଯାଉନାହିଁ ।