କିଏ ଏହି ବାବା? ଯାହାଙ୍କ ଧମକରେ ୟୁପି ସରକାର ଦୋକାନ ଆଗରେ ଲଗାଉଥିଲେ ନେମ୍ ପ୍ଲେଟ୍

ନନ୍ଦିଘୋଷ ବ୍ୟୁରୋ: ଦୋକାନ ସମାନରେ ନେମ ପ୍ଲେଟ ଲଗାଇବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ତେବେ ଦୋକାନ ସମାନରେ ଭେଜ ନନଭେଜ ଲେଖିହେବ । ମାତ୍ର ନେମ ପ୍ଲେଟ ଲଗାଇବା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ୟୁପି, ହିମାଞ୍ଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ୍ ଜାରି କରାଯାଇଛି । ତେବେ କହି ରଖୁଛୁ କି, କାଉଡ଼ିଆମାନେ ଯାତ୍ରା କରୁଥିବା ରାସ୍ତାରେ ଦୋକାନୀମାନେ ସେମାନଙ୍କ ନେମ ପ୍ଲେଟ ମାରିବା ପାଇଁ ୟୁପି ସରକାର ନିର୍ଦ୍ଦେଶ ଦେଇଥିଲେ । ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ପ୍ରଶାସନ ମଧ୍ୟ ଦୋକାନରେ ନେମ ପ୍ଲେଟ ଲଗାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜେନୖତିକ ମହଲରେ ବେଶ ଚର୍ଚ୍ଚା ହୋଇଥିବାବେଳେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ତେବେ ଉତ୍ତରପ୍ରଦେଶ ସରକାରଙ୍କ ନେମ ପ୍ଲେଟ ଲଗାଇବା ଚିନ୍ତାଧାରା ମୁଜାଫରନଗରରେ ଆଶ୍ରମ ଚଳାଉଥିବା ବାବା ସ୍ବାମୀ ଯଶବୀର ମହାରାଜଙ୍କର ବୋଲି କୁହାଯାଉଛି । ତେବେ ସେ କିଏ ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।

ମୁଜାଫରନଗରରୁ ୧୫ କିଲୋମିଟର ଦୂରେ ଥିବା ବାଗରା ଗ୍ରାମରେ ଏକ ଯୋଗ ଆଶ୍ରମ ଚଳାଉଛନ୍ତି ବାବା ଯଶବୀର । ତାଙ୍କ ଆଶ୍ରମରେ ପ୍ରବେଶ ପାଇଁ କଡ଼ା ଯାଞ୍ଚ ମଧ୍ୟ କରିବାକୁ ପଡ଼େ । ଯଦି ତାଙ୍କ ସମ୍ପର୍କରେ କହିବା ତାହେଲେ ସେ ଏକ ଜାଟ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ଘର ଛାଡ଼ି ବାହାରେ ରହିଥିଲେ । ତାଙ୍କ ପିଲାଦିନ କଥା ପଚରାଯାଇଥିବାବେଳେ ସେ କହିଥିଲେ କି, କୌଣସି ସାଧୁଙ୍କ ବ୍ୟକ୍ତିଗତ କଥା ପଚରା ଯାଏନାହିଁ । ଘର ଛାଡ଼ି ଆସିବା ପରେ ସେ ପରିବାର ସହ ସମ୍ପର୍କ ରଖି ନଥିବାବେଳେ ହରିୟାଣାରେ ଯୋଗ ଶିକ୍ଷା ଲାଭ କରିଥିଲେ । ଏହାପରେ ସେ ବାଗରେ ଆସି ନିଜର ଆଶ୍ରମ କରିଥିଲେ । ଆଶ୍ରମରେ ସେ ଯୋଗ ଶିକ୍ଷା ଦେବା ସହ ବର୍ଷରେ ଏକ ବଡ଼ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରନ୍ତି । ୨୦୧୫ରେ ସମାଜବାଦୀ ସରକାର ସମୟରେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା । ଏକ ବିବାଦୀୟ ବୟାନ ପାଇଁ ସେ ଜେଲ ମଧ୍ୟ ଯାଇଥିଲେ । ୭ ମାସ ଜେଲରେ ରହିବା ପରେ ଫେରିଥିଲେ । ୨୦୨୨ ୟୁପି ନିର୍ବାଚନରେ ସେ ପ୍ରତିଦ୍ବିନ୍ଦିତା କରିବେ ବୋଲି ମଧ୍ୟ କୁହାଯାଉଥିଲା । ଏପରିକି ସେ ପ୍ରଚାର ମଧ୍ୟ କରିଥିଲେ । କିନ୍ତୁ ଟିକେଟ ମିଳିନଥିଲା । ଏହାକୁ ନେଇ ସେ କହିଥିଲେ କି, ଭଗବାନ ଚାହିଁଲେ ମୋର ରାଜନୈତିକ ଇଚ୍ଛା ମଧ୍ୟ ପୂରଣ ହେବ ।