କପିଳାସରେ ଉପାସରେ ଅଛନ୍ତି ମହାଦେବ, ରୋଷଘରେ ତାଲା

ଢେଙ୍କାନାଳ: ସେ ଅଚଳାଚଳ ସମ୍ପତ୍ତିର ମାଲିକ ହେଲେ ତଥାପି ଉପାସ । ଉପାସରେ ବାବା ଚନ୍ଦ୍ରଶେଖର । ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସରେ ଉପାସରେ ଅଛନ୍ତି ମହାଦେବ । ଦୁଇଦିନ ହେବ ବାବା ଚନ୍ଦ୍ରଶେଖରଙ୍କ ନୀତିକାନ୍ତିରେ ବିଳମ୍ବ ହେଉଛି । ଏପରିକି ଠାକୁରଙ୍କ ରୋଷଘରେ ତାଲା ପଡ଼ିଥିବା ଅଭିଯୋଗ ହୋଇଛି । ଫଳରେ ମହାଦେବ ଉପାସରେ ରହିବା ସହ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଭିଯୋଗ ଅନୁସାରେ ଦେବୋତ୍ତର ବିଭାଗ ମନଇଚ୍ଛା ମନ୍ଦିରରେ ନିୟୋଜିତ ପୂଜାପଣ୍ଡାଙ୍କୁ କାର୍ଯ୍ୟରୁ ଅନ୍ତର କରିଛି । ଅଧିକ ଦରମା ଦାବି କରିବାରୁ ବିନା ଆଲୋଚନାରେ ସମସ୍ତଙ୍କୁ ସେବାରୁ ବିଚ୍ଯୁତି କରାଯାଇଛି । ଅନ୍ଯ ସ୍ଥାନରୁ ବ୍ରାହ୍ମଣଙ୍କୁ ଡକାଇ ଅସ୍ଥାୟୀ ଭାବେ ନୀତି ସେବା ପାଇଁ ଦାୟିତ୍ବ ଦିଆଯାଇଛି । ଫଳରେ ନୀତିକାନ୍ତିରେ ବ୍ଯାପକ ତ୍ରୁଟି ପରିଲକ୍ଷିତ ହେଉଛି ।

ଦେବୋତ୍ତର ବିଭାଗର ଅପାରଗତା ପାଇଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । କପିଳାସ ପୀଠରେ ଜଣେ ପୂର୍ଣ୍ଣକାଳୀନ ଅଫିସରଙ୍କୁ ଦାୟିତ୍ଵ ଦେବା ପାଇଁ ଦାବି ହୋଇଆସୁଛି । ଯେଉଁଅଧିକାରୀ କପିଳାସ ପାଇଁ ନିଯୁକ୍ତି ପାଇଛନ୍ତି ସେ କପିଳାସ ପୀଠକୁ ଆସନ୍ତି ନାହିଁ । ଅଧିକାରୀମାନଙ୍କ ଅନୁପସ୍ଥିତି ପାଇଁ ପୀଠରେ ବାରମ୍ବାର ବିଭିନ୍ନ ପ୍ରକାର ଅସୁବିଧା ହେଉଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ସ୍ଥାନୀୟ ପୂଜା ପଣ୍ଡାମାନଙ୍କୁ ପୂର୍ବଭଳି ନିଯୁକ୍ତି ଦେବାକୁ ଦାବି ହୋଇଛି ।