ସୌନ୍ଦର୍ଯ୍ୟ ଭରା ପରିବେଶ ସହ ପାହାଡର ମଧ୍ୟ ଭାଗରେ ପୂଜା ପାଉଛନ୍ତି ବାବା ଭୋଳାନାଥ

1 min read

ନନ୍ଦିଘୋଷ ବ୍ୟୁରୋ: ଶ୍ରାବଣରେ ଚଳଚଞ୍ଚଳ ରାଜ୍ଯର ସମସ୍ତ ଶୈବପୀଠ । ଏହାରି ଭିତରେ କଣ୍ଟାମାଳ ବ୍ଲକର ବିରାମୁଣ୍ଡା ମନ୍ଦିରରେ ଲାଗୁଛି ଭକ୍ତଙ୍କ ଗହଳି । ପାହାଡରେ ହେଉଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ବାବା ବିଶ୍ଵେଶର ମହାଦେବଙ୍କୁ ଦର୍ଶନ କରି କରୁଣା ଲାଭ କରୁଛନ୍ତି ଭକ୍ତ ।

ବିସ୍ତିର୍ଣ୍ଣ ଜଙ୍ଗଲ । ସୌନ୍ଦର୍ଯ୍ଯ ଭରା ପରିବେଶ ସହ ପାହାଡର ମଧ୍ଯ ଭାଗରେ ପୂଜା ପାଉଛନ୍ତି ବାବା ଭୋଳା ନାଥ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସ୍ୱରୀ ପଂଚାୟତର ବିରାମୁଣ୍ଡା ମନ୍ଦିରରେ ପୂଜା ପାଉଛନ୍ତି ବାବା ବିଶ୍ୱେଶର । ଏହି ମନ୍ଦିରକୁ ପ୍ରତିଦିନ ଶହ ଶହ ଲୋକଙ୍କ ସୁଅ ଛୁଟେ । ବିଶେଷ କରି ଶ୍ରାବଣ ମାସରେ ହଜାର ହଜାର ସଂଖ୍ଯାରେ ଭକ୍ତଙ୍କ ଭିଡ ଜମେ । ବାବାଙ୍କ ଦର୍ଶନ କରି କରୁଣା ଲାଭ କରନ୍ତି ଭକ୍ତ ।

ବିରାମୁଣ୍ଡା ମନ୍ଦିର ଆଗରେ ଅଛି ଗୁପ୍ତ ଗଙ୍ଗା । ଯେଉଁଥିରୁ ବର୍ଷ ସାରା ପାଣି ଝରୁଥାଏ । ସେହି ପାଣିରେ ବିଶ୍ୱେଶର ବାବାଙ୍କ ପୂଜା କରାଯାଇ ଥାଏ I ମନ୍ଦିର ନିର୍ମାଣକୁ ୨୫ ବର୍ଷରୁ ଉର୍ଦ୍ଧ୍ଵ ସମୟ ହେଲାଣି । ଭକ୍ତଙ୍କ ଅନୁଦାନ ସହ ସରକାରୀ ଅନୁଦାନରେ ମନ୍ଦିରର କିଛି କାମ ହୋଇଛି । କିନ୍ତୁ ଆଜିବି ମନ୍ଦିରକୁ ଯିବାକୁ ଭଲ ରାସ୍ତା ଓ ପିଇବା ପାଣି, ବିଜୁଳି ଭଳି ଅନେକ ସମସ୍ୟା ରହିଛି l ସରକାର ଏଥିପ୍ରତି ଧ୍ଯାନ ଦେଲେ ମନ୍ଦିରରେ ଆହୁରି ଭକ୍ତଙ୍କ ସମାଗମ ହୁଅନ୍ତା ।