ପ୍ରଧାନମନ୍ତ୍ରୀଙ୍କୁ ବାବା ଆର୍ତ୍ତତ୍ରାଣଙ୍କ ଅପିଲ୍, ଅଲୌକିକ ଶକ୍ତିରେ ଭଲ କରିଦେବେ କରୋନା
1 min read
ଭୁବନେଶ୍ୱର: କରୋନା କବଳରେ ଦୁନିଆ । ଭାଇରସ୍ ପାଇଁ ବିଶ୍ୱ ଖୋଜୁଛି ଭ୍ୟାକ୍ସିନ୍ । ହେଲେ ଭୁବନେଶ୍ୱରର ବାହାପିଆ ବାବା ଦାବି କରିଛନ୍ତି ସେ କରୋନା ରୋଗୀଙ୍କୁ ଭଲ କରିଦେବେ । ମାଲକାନଗିରିରେ ଜାପାନିଜ୍ ଏନସେଫାଲାଇଟିଜ୍ ବ୍ୟାପିବା ବେଳେ ଆର୍ତ୍ତତ୍ରାଣ ମଧ୍ୟ ଟିଭି ଷ୍ଟୁଡିଓରେ ଏଭଳି ଦାବି କରିଥିଲେ । ମହାମାରୀ କରୋନା ବିପତ୍ତି ସମୟରେ ଆର୍ତ୍ତତ୍ରାଣ ପୁଣି ସମାନ ଦାବି ଦୋହରାଇଛନ୍ତି ।

ପୂର୍ବରୁ ମେଡିକାଲ ସାଇନ୍ସ ନଥିଲେ । ସେତେବେଳେ ଲୋକେ ଦୈବୀ ଶକ୍ତି ବଳରେ ଭଲ ହେଉଥିଲେ, ଆଜି ବି ଭଲ ହୋଇପାରିବେ । ଆର୍ତ୍ତତ୍ରାଣ କହିଛନ୍ତି- ମୁଁ ବିଶ୍ୱର ଶହେରୁ ଅଧିକ ଲୋକଙ୍କୁ ଫୋନରେ ମନ୍ତ୍ର ପଡ଼ି କରୋନା ଭଲ କରି ସାରିଛି । ଯିଏଁ ଯେଉଁଠି ଫୋନର ମୋ ମନ୍ତ୍ର ଶୁଣୁଛି, ସେଇଠି କରୋନା ଭଲ ହୋଇଯାଉଛି ବୋଲି ଆର୍ତ୍ତତ୍ରାଣ ଦାବି କରିଛନ୍ତି । ଏନେଇ ତାଙ୍କ ପାଖରେ ପ୍ରମାଣ ଥିବା କହିଛନ୍ତି ।

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ତାଙ୍କୁ ସୁଯୋଗ ଦେବାକୁ ସେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସୋସିଆଲ୍ ମିଡିଆରେ ନିବେଦନ କରିଛନ୍ତି । ସେ ଆହୁରି ଦାବି କରିଛନ୍ତି ଯେ, ସେ ଦୀର୍ଘ ୯ ବର୍ଷ ହେଲା ଏମିତି ଅନେକ ଅସାଧ୍ୟ ରୋଗରୁ ଲୋକଙ୍କୁ ଛୁଇଁ ଓ ଫୋନରେ ଆରୋଗ୍ୟ କରିଛନ୍ତି । କେବଳ ଭାରତ ନୁହେଁ ବିଶ୍ୱର ଅନେକ ସ୍ଥାନରେ ସେ ଦୈବୀ ଶକ୍ତିର ପ୍ରୟୋଗ କରିଥିବା କହିଛନ୍ତି ।
https://twitter.com/i/status/1282490388855455744
ତେବେ, ଆର୍ତ୍ତତ୍ରାଣ ବାବାଙ୍କ ଏଭଳି ଦାବି ନୂଆ ନୁହେଁ । ଯଦିଓ ଆର୍ତ୍ତତ୍ରାଣଙ୍କ ଆଶ୍ରମରେ ଦୈନିକ ଶହ ଶହ ଲୋକ ଭିଡ଼ ଜମେ । କିନ୍ତୁ ବାବାଙ୍କ ଲେମ୍ବୁ ଚିକିତ୍ସା ପରେ କେତେଜଣ କେଉଁ ରୋଗରୁ ସୁସ୍ଥ ହୋଇଛନ୍ତି ସେ ନେଇ କୌଣସି ପ୍ରମାଣ ନାହିଁ । ନ ଛୁଇଁ ମନ୍ତ୍ର ବଳରେ ଆର୍ତ୍ତତ୍ରାଣ ସଂଖ୍ୟାଧିକ ରୋଗୀଙ୍କୁ ଭଲ କରିଦେବେ ବୋଲି ଦାବି କରିଛନ୍ତି । ତେବେ, ବାବାଙ୍କ ଏଭଳି ଦାବିର କିଛି ଅଲଗା ଅର୍ଥ ବାହାର କରିଛନ୍ତି ଲୋକ । ବାବା କରୋନା ରୋଗୀଙ୍କୁ ଭୟ କରୁଛନ୍ତି । ତେଣୁ, ସେ ସଂକ୍ରମିତଙ୍କୁ ନ ଛୁଇଁ ଭଲ କରିବା କଥା କହୁଥିବା ଲୋକ ଆଲୋଚନା କରୁଛନ୍ତି ।