ଡକ୍ଟର ବି.ଆର. ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବେଦକରଙ୍କ ଜୀବନ ଓ ଆଦର୍ଶକୁ ନେଇ କରାଯିବ ସ୍ଵତନ୍ତ୍ର ଗ୍ୟାଲେରୀ। ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକର । ଏନେଇ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ ଷ୍ଟାଣ୍ଡ ଆମ୍ବେଦକରଙ୍କ ନାମରେ ନାମିତ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏବେ ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଭାବରେ ପରିଚିତ ହେବ। ଡକ୍ଟର ଆମ୍ବେଦକର ଜଣେ ଦୂରଦର୍ଶୀ ନେତା ଓ ସମର୍ପିତ ସମାଜ ସଂସ୍କାରକ ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦଳିତ ନିଷ୍ପେଶିତଙ୍କ ପାଇଁ ସେ ଥିଲେ ଆଶାର ଆଲୋକ । ଏକ ନ୍ୟାୟ ପୂର୍ଣ ସମାଜ ଗଠନ ପାଇଁ ସେ ସାରା ଜୀବନ କାମ କରିଯାଇଛନ୍ତି । ଦେଶ ଗଠନରେ ତାଙ୍କର ମହାନ୍ ଅବଦାନ ଓ ଆଦର୍ଶ ବିଷୟରେ ଜନସାଧାରଣ ଙ୍କୁ ସଚେତନ କରିବା ପାଇଁ ଡକ୍ଟର ବାବାସାହେବ ଆମ୍ବେଦକର ବସଷ୍ଟାଣ୍ଡରେ ୯୦୦ ବର୍ଗ ଫୁଟ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ ନିର୍ମାଣ କରାଯିବ। ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର ଜରିଆରେ ଡକ୍ଟର ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ କରାଯିବ। ଭାରତୀୟ ସମ୍ବିଧାନର ଏକ ନକଲ ସହିତ ବାବା ସାହେବ ଦ୍ଵାରା ବ୍ୟବହୃତ ବିଭିନ୍ନ ଜିନିଷ ମଧ୍ଯ ଏଠାରେ ପ୍ରଦର୍ଶିତ ହେବ ।