ଆୟୁଷ୍ମାନ ଦେଉଛି ଯନ୍ତ୍ରଣା, କାର୍ଡ ଥାଇ ଚିକିତ୍ସା ପାଇଁ ହସନ୍ତସନ୍ତ ରୋଗୀ

1 min read

ଭୁବନେଶ୍ବର : ଆୟୁଷ୍ମାନ ଦେଉଛି ଯନ୍ତ୍ରଣା । ଟଙ୍କା ଗଣି ଚିକିତ୍ସା କରୁଛନ୍ତି ରୋଗୀ । ନାଁ ଶୁଣିଲେ ଫେରାଇ ଦେଉଛି ହସପିଟାଲ । ଅସ୍ତ୍ରୋପଚାର ପରେ ଲମ୍ବା ବିଲ୍ ଦେଖି କାନ୍ଦୁଛନ୍ତି ହିତାଧିକାରୀ । ଯାଜପୁର ଅଞ୍ଚଳର ଚନ୍ଦ୍ରମଣି ସାହୁ । ପୁଅ ପ୍ରଶାନ୍ତର ଗୋଡ଼ରେ ଅସ୍ତ୍ରୋପଚାର କରିବା ପାଇଁ ଭୁବନେଶ୍ଵର ଏମ୍ସକୁ ଆଣିଥିଲେ । ଭାବିଥିଲେ ଆୟୁଷ୍ମାନ୍ କାର୍ଡରେ ମାଗଣା ଚିକିତ୍ସା ପାଇ ପୁଅ ସୁସ୍ଥ ହେବ । ହେଲେ ଅପରେସନ ସିନା ହେଲା ହେଲେ ପରେ ଆବଶ୍ୟକ ଔଷଧ ପାଇଁ ଲମ୍ବା ଚିଠା ଧରାଇ ଦେଲେ ଡାକ୍ତର I ଦୁଇଦିନରେ ୧୦ ହଜାର ଟଙ୍କାର ମେଡ଼ିସିନ୍ କିଣା ସରିଲାଣି । ସେପଟେ ଏମ୍ସ କର୍ତ୍ତୃପକ୍ଷଙ୍କ କହିବା କଥା, ହେଲ୍ଥ ପ୍ୟାକେଜରେ ଆସୁନି ମେଡିସିନ୍ । ପାଖରେ ଟଙ୍କାଟିଏ ନାହିଁ, ପୁଣି ମେଡ଼ିସିନ୍ କିଣା ବୋଝ । କିପରି ପୁଅର ଚିକିତ୍ସା କରିବେ ସେନେଇ ଚିନ୍ତାରେ ଚନ୍ଦ୍ରମଣିଙ୍କ ପରିବାର । ଏଭଳି ଅସୁବିଧା ସାମ୍ନା କରିବାପରେ ବିଏସକେୱାଇକୁ ମନେ ପକାଇଛନ୍ତି ରୋଗୀଙ୍କ ପରିବାର ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ଅନୁଗୁଳରୁ ଆସିଥିବା ବୁଢୀ ମାଉସୀ ବି ଅକଳରେ ପଡ଼ିଛନ୍ତି । ଅନୁଗୁଳରୁ ଆସି ଭୁବନେଶ୍ବର ଏମ୍ସ ହସ୍ପିଟାଲ ଗେଟ ପାଖ ରାସ୍ତା କଡରେ ବସିଛନ୍ତି ବୟସ୍କା ରଜନୀ ବେହେରା । ହାତ ଭାଙ୍ଗି ଯାଇଛି । ଭୁବନେଶ୍ବର ଏକ ବେସରକାରୀ ହସ୍ପିଟାଲରେ ଆୟୁଷ୍ମାନ୍ କାର୍ଡରେ ଅପରେସନ ହୋଇଥିଲା I ଅପରେସନ ପରେ ଆଉ ଅଧିକ ଚିକିତ୍ସା ହୋଇ ପାରିବନି କହି ତାଙ୍କୁ ଫେରାଇ ଦେଲେ ହସପିଟାଲ କର୍ତ୍ତୃପକ୍ଷ । ପରିବାର ଲୋକେ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ଆଣିଥିଲେ । ଆୟୁଷ୍ମାନ୍ କାର୍ଡରେ ଆଡମିସନ କରିବା ପାଇଁ କହିବାରୁ, ଦୁଇ ସପ୍ତାହ ପରେ ଆସିବାକୁ କହି ଫେରାଇ ଦେଇଛନ୍ତି ହସପିଟାଲ କର୍ତ୍ତୃପକ୍ଷ । ପୂର୍ବରୁ ରୋଗକୁ ନେଇ ଚିନ୍ତାଶୂନ୍ୟଥିଲେ ଗରିବ ଲୋକେ । ବିଏସକେୱାଇ କାର୍ଡ ଉପରେ ଥିଲା ଭରସା । ହେଲେ କାର୍ଡ ଥାଇ ବି ହନ୍ତସନ୍ତ ହେବାକୁ ପଡୁଥିବା ଅଭିଯୋଗ ହୋଇଛି ।