ଆୟୁଷ୍ମାନରେ ସମସ୍ୟା ଅନେକ, ସମାଧାନ କଷ୍ଟ : BSKYକୁ ପ୍ରଶଂସା କଲେ କଂଗ୍ରେସ, ବାମଦଳ ଓ ଆପ୍

ନନ୍ଦିଘୋଷ ବ୍ୟୁରୋ: ଆୟୁଷ୍ମାନ ଭାରତ ଓଡ଼ିଶାରେ ଲାଗୁ ହେବା ପରେ ଏହାର କାର୍ଯ୍ୟକାରିତାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହ ଲୋକେ ଆୟୁଷ୍ମାନ ଯୋଜନାର ତୁଳନା କରୁଛନ୍ତି । କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ବାମ ଦଳ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପ୍ରଶଂସା କରିଥିବା ବେଳେ ଆୟୁଷ୍ମାନ ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଏସକେଓ୍ବାଇର ସଫଳତା ପ୍ରମାଣିତ ହୋଇଥିବା ବେଳେ ଆୟୁଷ୍ମାନ ଭାରତରେ ଅନିୟମିତତା କଥା ଉଠାଇଛନ୍ତି ସିଏଜି । ହିତାଧିକାରୀ ଚୟନ ଠାରୁ ଆରମ୍ଭ କରି ଭିତ୍ତିଭୂମି, ଅଭିଯୋଗ ସମାଧାନ ଠାରୁ ଅନୁବନ୍ଧିତ ହସ୍ପିଟାଲ ଯାଏଁ ଅନ୍ୟ ରାଜ୍ୟରେ ଆୟୁଷ୍ମାନର ଅନିୟମିତତା କଥା ସିଏଜି ଉଠାଇଥିବାରୁ ଓଡ଼ିଶାବାସୀଙ୍କ କି ଅବସ୍ଥା ହେବ ବୋଲି ବିଜେଡି ଉଦବେଗ ପ୍ରକାଶ କରିଛି ।

ଆୟୁଷ୍ମାନ ଯୋଜନା ଠାରୁ ବହୁଗୁଣରେ ଭଲଥିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା। ଗରିବ ଲୋକଙ୍କ ସାହାରା ସାଜିଥିଲା ବିଏସକେଓ୍ବାଇ। ଆୟୁଷ୍ମାନ ଯୋଜନାରେ ଦ୍ବନ୍ଦ୍ବ ଅନେକ । ସମସ୍ୟା ଅନେକ । ସମାଧାନର ବାଟ ବି କ୍ଲିଷ୍ଟ । କଂଗ୍ରେସ, ବାମଦଳ ଓ ଆପ୍ ବିଏସକେଓ୍ବାଇ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ଯୋଜନା ଲାଗୁ କରିବା ପାଇଁ ବିଜେପି ଯେତେ ତରବର, ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ସେତିକି କୁଣ୍ଠାବୋଧ । ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ପାଇଁ ଗୁଡ଼ାଏ ସର୍ତ୍ତ ଥିବାରୁ ଗରିବ ଏହାର ଫାଇଦା ପାଇବାରୁ ବଞ୍ଚିତ ହେବେ । ଆୟୁଷ୍ମାନ ଯୋଜନା ବିଜେପି ସରକାରର ଏକ ଫମ୍ପା ଆଓ୍ବାଜ। ଏପ୍ରିଲ ୧୧ ତାରିଖ ଏହି ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜାଗାରେ ଏହାକୁ ନେଇ ଦ୍ବନ୍ଦ୍ବ, ଅସନ୍ତୋଷ ଦେଖାଦେଇଛି ।

ବିଜେପି ଗୁଜରାଟର ବିକାଶ ମଡେଲ ଏବଂ ଆୟୁଷ୍ମାନ ଯୋଜନାକୁ ନେଇ ଅନେକ ପ୍ରଚାର କରୁଥିବା ବେଳେ ଗୁଜରାଟରେ ଆୟୁଷ୍ମାନର ବିଫଳତା, ହେରଫେର କଥା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କେବଳ ଗୁଜରାଟ ନୁହେଁ, ବିଜେପି ଶାସିତ ରାଜ୍ୟରେ ଆୟୁଷ୍ମାନ ଯୋଜନାର ଅନିୟମିତତା କଥା ବି ସିଏଜି ଉଠାଇଛନ୍ତି। ନଜର ପକାନ୍ତୁ, ସିଏଜିର ଏହି ରିପୋର୍ଟ ଉପରେ। ଏଥିରେ ଆୟୁଷ୍ମାନ ଯୋଜନାରେ ହିତାଧିକାରୀ ଚୟନ, ହସ୍ପିଟାଲ ଭିତ୍ତିଭୂମି ଓ ପରିଚାଳନା, ଅନୁବନ୍ଧିତ ଡାକ୍ତରଖାନା, ବୀମା ପରିଚାଳନା, ଅଭିଯୋଗ ସମାଧାନ ମେକାନିଜିମର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି। ବିଜେଡି ଏହାକୁ ପ୍ରସଙ୍ଗ କରିବା ସହ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଆୟୁଷ୍ମାନକୁ ନେଇ ଅରାଜକତା ଦେଖାଦେବ ବୋଲି ଆଶଙ୍କା କରିଛି । ଆୟୁଷ୍ମାନ ଓଡ଼ିଶା ପାଇଁ ଅଭିଶାପ ହେବନି ତ ବୋଲି ପ୍ରଶ୍ନ କରିଛି ସିପିଆଇ ।

ବିଏସକେଓ୍ବାଇ ହେଉ କି ରାସନ କାର୍ଡ ପାଖରେ ଥିଲେ ମାଗଣା ସ୍ବାସ୍ଥ୍ୟ ସେବା ପାଇଁ ଲୋକଙ୍କ ଚିନ୍ତାନଥିଲା । ହେଲେ ଆୟୁଷ୍ମାନ ଯୋଜନାକୁ ନେଇ ରାଜ୍ୟବାସୀ ଚିନ୍ତାରେ । ଏହାର କାର୍ଯ୍ୟକାରିତାକୁ ଅନେକ ଦ୍ବନ୍ଦ୍ବ ଥିବାରୁ ସାଧାରଣ ଲୋକ କଣ କରିବେ କଣ ନକରିବେ ସେହି ଆଶା ଆଶଙ୍କାରେ ରହିଛନ୍ତି ।