ରାଜ୍ୟର ସବୁ ପରିବାରଙ୍କୁ ମିଳିବନି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା ଯୋଜନା

ଭୁବନେଶ୍ବର: ଶୀଘ୍ର ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା । ହେଲେ ସବୁ ପରିବାର ପାଇଁ ନୁହେଁ । ଏହି ଯୋଜନାରେ ସାମିଲ ହେବେ ମାତ୍ର ୬୭ ଲକ୍ଷ ପରିବାର । ବାକି ୩୩ ଲକ୍ଷ ପରିବାର ବିଏସକେଓ୍ବାଇରୁ ପରିବର୍ତ୍ତିତ ଯୋଜନା ଗୋପବନ୍ଧ ଜନ ଆରୋଗ୍ୟ ସ୍ବାସ୍ଥ୍ୟ ଯୋଜନାର ସୁବିଧା ପାଇବେ । ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ୧ କୋଟି ପରିବାରକୁ ସ୍ବାସ୍ଥ୍ୟ ସହାୟତା ସାମିଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସେପଟେ ଏଣିକି ଗରିବ ଲୋକଙ୍କ ଚିକିତ୍ସା ପାଇଁ ଜାରି ହେବ ୟୁନିକ୍ ଆଇଡି କାର୍ଡ । ଯେଉଁଥିରେ ରୋଗୀର ସମସ୍ତ ଚିକିତ୍ସା ଡାଟାବେସ୍ ଉପଲବ୍ଧ ହେବ ।

ନବୀନ ସରକାର ସମୟରେ ଥିଲା ବିଏସକେଓ୍ବାଇ । ସ୍ବାସ୍ଥ୍ୟ ସହାୟତା ପାଉଥିଲେ ପ୍ରାୟ ୯୫ ଲକ୍ଷ ପରିବାର । ଏଣିକି ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ହେଲେ ଏହି ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବେ ମାତ୍ର ୬୭ ଲକ୍ଷ ପରିବାର । ବାକି ୩୩ ଲକ୍ଷ ପରିବାର ସାମିଲ ହେବେ ବିଏସକେଓ୍ବାଇରୁ ପରିବର୍ତ୍ତିତ ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ସ୍ବାସ୍ଥ୍ୟ ଯୋଜନାରେ । ଆଜି ଏ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

୨୦୧୮ରେ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ନେଇ ଘୋଷଣା କରିଥିଲେ । ହେଲେ ଏନଏଫଏସଏ ହିତାଧିକାରୀ ଅନ୍ତର୍ଗତ ମାତ୍ର ୬୭ ଲକ୍ଷ ପରିବାର ସାମିଲ ହେବେ ବୋଲି କହିଲେ । ତତ୍କାଳୀନ ସରକାର ଆୟୁଷ୍ମାନକୁ ଗ୍ରହଣ ନକରି ନିଜସ୍ବ ସମ୍ବଳରେ ଲାଗୁ କରିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସୁନିଶ୍ଚିତ ସହାୟତା ଯୋଜନା । ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ଚିକିତ୍ସା ବାବଦରେ ୫ ଲକ୍ଷ ଟଙ୍କାର ସହାୟତା ମିଳିଲା । ଏବେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଲେ ମାତ୍ର ୬୭ ଲକ୍ଷ ପରିବାର ମାତ୍ର ୫ ଲକ୍ଷ ଟଙ୍କା ଲେଖାଏଁ ସ୍ବାସ୍ଥ୍ୟ ବୀମାର ସୁବିଧା ପାଇବେ । ସେହି ପରିବାରର ମହିଳା ଆଉ ୫ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତାରୁ ବଞ୍ଚିତ ହେବେ । ଏହା ରାଜ୍ୟବାସୀଙ୍କୁ ଡବଲ ଇଞ୍ଜିନ ସରକାରର ଆଉ ଏକ ଧୋକା ବୋଲି କହିଛନ୍ତି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

ନ୍ୟାସନାଲ ଡିଜିଟାଲ ମିଶନ ଯୋଜନାରେ ଗରିବ ଲୋକଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ଜାରି କରିବେ ସ୍ବାସ୍ଥ୍ୟ ୟୁନିକ୍ ଆଇଡି କାର୍ଡ । ଯେଉଁଥିରେ ରୋଗୀ କେଉଁ ଡାକ୍ତରଖାନାକୁ କେତେଥର ଆସିଛି ଓ କି ଔଷଧ ତା ପାଇଁ ଡାକ୍ତର ଲେଖିଛନ୍ତି ସେ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଡିଜିଟାଲି ଏନକୋଡ ରହିବ । ଫଳରେ ରୋଗୀଟି ଅଧିକ ଚିକିତ୍ସା ପାଇଁ ଭାରତର ଯେ କୌଣସି ଅଞ୍ଚଳର ଡାକ୍ତରଖାନାକୁ ଗଲେ ୟୁନିକ କାର୍ଡ ସ୍ବାଇପ କଲେ ତା’ର ଚିକିତ୍ସା ସମ୍ପର୍କିତ ସମସ୍ତ ତଥ୍ୟ ମିଳିପାରିବ । ଏହି କାର୍ଡକୁ ଭାରତର ୨୭ ହଜାର ଡାକ୍ତରଖାନାରେ ଅନୁବନ୍ଧିତ କରାଯିବ ।

ଗରିବଙ୍କୁ ବିଏସକେଓ୍ବାଇ ଯୋଜନାରେ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ପୂର୍ବ ନବୀନ ସରକାର ରାଜ୍ୟ ଭିତରେ ଓ ବାହାରେ ୯୫୦ ଡାକ୍ତରଖାନା ସହିତ ଅନୁବନ୍ଧିତ କରିଥିଲେ । ଯାହାଦ୍ବାରା ରାଜ୍ୟ ବାହାରେ ମଧ୍ୟ ଗରିବ ଗୁରୁବା ସମ୍ପୂର୍ଣ୍ଣ ମାଗଣାରେ ଉନ୍ନତ ସ୍ବାସ୍ଥ୍ୟସେବା ପାଉଥିଲେ ।