କେମିତି ଚୟନ ହେଲା ରାମଲାଲାଙ୍କ ମୂର୍ତ୍ତି? କିଏ ଏହାକୁ କରିଛନ୍ତି ତିଆରି?

ଅଯୋଧ୍ୟା: ଚଳିତ ବର୍ଷ ୨୨ ଜାନୁଆରୀରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ଯେଉଁ ପ୍ରତିମା ସ୍ଥାପନ କରାଯିବ ତାର ଚୟନ କରାଯାଇଛି। ମନ୍ଦିରର ମୂର୍ତ୍ତିଗୁଡ଼ିକ ତିନିଜଣ ଶିଳ୍ପୀ ଦ୍ୱାରା ନିର୍ମିତ କରାଯାଇଛି । ବେଙ୍ଗାଲୁରୁର ଜି. ଏଲ୍ ଭଟ୍ଟ, ମସୁରୀର ଅରୁଣ ଯୋଗୀରାଜ ଏବଂ ରାଜସ୍ଥାନର ସତ୍ୟନାରାୟଣ ପାଣ୍ଡେ ମୂର୍ତ୍ତିକୁ ତିଆରି କରିଛନ୍ତି ।

ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ଶ୍ୟାମଳ ରଙ୍ଗର ପ୍ରତିମା ୫୧ ଇଞ୍ଚ ଉଚ୍ଚ । ମୂର୍ତ୍ତିରେ ଭଗବାନ ଏକ ୫ ବର୍ଷର ଶିଶୁ ରୂପରେ ଅଛନ୍ତି | ସେ ଧନୁ ଓ ତୀର ସହିତ ଅଛନ୍ତି। ଏହି ପ୍ରତିମା କର୍ଣ୍ଣାଟକର କୃଷ୍ଣ ପଥରରେ ନିର୍ମିତ କରାଯାଇଛି। ଏହି ପ୍ରତିମୂର୍ତ୍ତି ତିଆରି କରିବାକୁ ଅରୁଣ ଯୋଗୀରାଜଙ୍କୁ ୬ ମାସ ସମୟ ଲାଗିଥିଲା।

କେଉଁ ଆଧାରରେ ହୋଇଛି ଚୟନ

ମୂର୍ତ୍ତିରେ ପିଲାଦିନର ଝଲକ ରହିଛି, ସୌନ୍ଦର୍ଯ୍ୟ, ସୃଜନଶୀଳ ଡିଜାଇନ୍, ଗଭୀର ଚିନ୍ତାଧାରା, ପଥରର ଗୁଣ, ପ୍ରତିମାଙ୍କ ବୟସ, ଇତ୍ୟାଦିକୁ ଆଧାର କରି ମୂର୍ତ୍ତି ଚୟନ କରାଯାଇଛି ।

ଅରୁଣ ଯୋଗୀରାଜଙ୍କ ପରିବାର ବର୍ଷ ବର୍ଷ ଧରି ମୂର୍ତ୍ତି ତିଆରି କରିଆସୁଛନ୍ତି। ଅରୁଣଙ୍କ କହିବାନୁସାରେ, ତାଙ୍କ ପରିବାର ୫ ପିଢ଼ୀ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅରୁଣ ଯୋଗୀରାଜ ଏମବିଏ ପଢ଼ିଛନ୍ତି। ସେ କିଛି ସମୟ ପାଇଁ ଏକ କମ୍ପାନୀରେ ମଧ୍ୟ କାମ କରିଥିଲେ | କିଛି ଦିନ ମଧ୍ୟରେ ସେ ଚାକିରିରୁ ବିରକ୍ତ ହୋଇ ଛାଡ଼ି ଦେଇଥିଲେ । ୨୦୦୮ ମସିହାରେ ସେ ଚାକିରି ଛାଡ଼ି ମୂର୍ତ୍ତି ନିର୍ମାଣ ଆରମ୍ଭ କଲେ |

ଅରୁଣ ଯୋଗୀରାଜ ବର୍ତ୍ତମାନ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ମୂର୍ତ୍ତି ନିର୍ମାଣ କରିଛନ୍ତି। କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମା ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ହୋଇଥିଲା।  ଇଣ୍ଡିଆ ଗେଟରେ ସ୍ଥାପିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ସେ ତିଆରି କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ କଳାକୁ ଅନେକ ଥର ପ୍ରଶଂସା କରିଛନ୍ତି। ପ୍ରତିମା ବାଛିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟି ପଥରର ଗୁଣ ପରୀକ୍ଷା କରିଛି।

ତିନିଜଣ କାରିଗର ୩ଟି ମୂର୍ତ୍ତି ତିଆରି କରିଥିଲେ। ଏଥିମଧ୍ୟରେ ସତ୍ୟନାରାୟଣ ପାଣ୍ଡେଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ରହିଥିଲା। ସତ୍ୟନାରାୟଣ ପାଣ୍ଡେଙ୍କ ଅନୁଯାୟୀ ସେ ୪୦ ବର୍ଷ ପୁରୁଣା ମାକରାନା ପଥରରୁ ରାମଲାଲାଙ୍କ ପ୍ରତିମା ତିଆରି କରିଥିଲେ। ସେ ଦାବି କରିଛନ୍ତି ଯେ ତାଙ୍କ ଦ୍ୱାରା ନିର୍ମିତ ରାମଲାଲାର ମୂର୍ତ୍ତି କେବେ ବି ଖରାପ ହେବ ନାହିଁ। ସତ୍ୟନାରାୟଣ କହିଛନ୍ତି ଯେ ପ୍ରତିମା ତିଆରି କରିବା ପୂର୍ବରୁ ସେ ପଥର ବାଛିଥିଲେ ଯେଉଁଥିରେ କ୍ୟାଲସିୟମ ଏବଂ ଲୁହା ଥିଲା।