ମଧୁର ହସକୁ ମଥାରେ ତିଲକ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏମିତି ଦିଶୁଛନ୍ତି ପ୍ରଭୂ ଶ୍ରୀରାମ

ଅଯୋଧ୍ୟା: ମଧୁର ହସ  । ମଥାରେ ତିଳକ  । ଆସିଲା ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହେବାକୁ ଥିବା ରାମଲଲାଙ୍କ ଅପରୂପ ମୁଖମଣ୍ଡଳର ଫଟୋ  । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ପୂର୍ବରୁ ରାମଲଲାଙ୍କ ଫଟୋ ସହ ସାମନାକୁ ଆସିଛି ଅପରୂପ ମୁଖମୁଣ୍ଡଳ  । ପ୍ରଥମେ ବିଧି ଅନୁସାରେ ପ୍ରଭୁ ରାମଙ୍କ ଚକ୍ଷୁରେ ପଟି ବନ୍ଧାଯାଇଥିଲା  । ପରେ କିନ୍ତୁ ଏହାକୁ ଖୋଲିଦିଆଯାଇଥିଲା  ।

ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ । ୨୩ ତାରିଖଠାରୁ ମନ୍ଦିରରେ ସାଧାରଣ ଭକ୍ତ ଦର୍ଶନ କରିପାରିବେ । ଗତକାଲି ମନ୍ଦିର ଗର୍ଭଗୃହରେ ରାମଲଲାଙ୍କ ମୂର୍ତ୍ତି ଆସ୍ଥାନରେ ସ୍ଥାପନ କରାଯାଇଥିଲା। ଏହି ମୂର୍ତ୍ତି ସ୍ଥାପନ କରିବାକୁ ପ୍ରାୟ ୪ ଘଣ୍ଟାରୁ  ଅଧିକ ସମୟ ଲାଗିଥିଲା। ମନ୍ତ୍ର ଉଚ୍ଚାରଣ  ଏବଂ ପୂଜାର୍ଚ୍ଚନା ନୀତିକାନ୍ତି ସହ ଭଗବାନ ରାମଙ୍କ ବିଗ୍ରହକୁ ବିରାଜମାନ କରାଯାଇଥିଲା ।

ଏହି ଅବସରରେ ମୂର୍ତ୍ତି ନିର୍ମାଣ କରିଥିବା ସ୍ଥପତି ଯୋଗୀରାଜ ସମେତ ଅନେକ ସାଧୁସନ୍ଥ ଉପସ୍ଥିତ ଥିଲେ । ମହୀଶୂରର ପ୍ରସିଦ୍ଧ ସ୍ଥପତି ଅରୁଣ ଯୋଗୀରାଜ ପ୍ରଭୁ ରାମଙ୍କ ଏହି ବିଗ୍ରହ ନିର୍ମାଣ କରିଛନ୍ତି । ୫୧ ଇଞ୍ଚ୍‌ ରହିଛି ଏହି ବିଗ୍ରହର ଉଚ୍ଚତା । ବୁଧବାର ଦିନ ମୂର୍ତ୍ତିକୁ ମନ୍ଦିର ପରିସରକୁ ଅଣାଯାଇଥିଲା । ଆସନ୍ତା ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଥିବାରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବୁଧବାର ରାତିରେ କ୍ରେନ ସାହାଯ୍ୟରେ ରାମଲାଲାଙ୍କ ମୂର୍ତ୍ତିକୁ ରାମ ମନ୍ଦିର ପରିସରରୁ ଭିତରକୁ ଅଣାଯାଇଥିଲା  । ଏହା ପୂର୍ବରୁ ପ୍ରଭୂ ରାମଙ୍କ କିଛି ଫଟୋ ସାମନାକୁ ଆସିଥିଲା  । ରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ତାଙ୍କ ଆସନ ବି ପ୍ରସ୍ତୁତ କରାଯାଇଛି  । ରାମଲାଲାଙ୍କ ଆସନ ୩.୪ ଫୁଟ ଉଚ୍ଚତା ବିଶିଷ୍ଟ ଅଟେ  । ଯାହାକୁ ମକରାନା ପଥରରେ ତିଆରି କରାଯାଇଛି  ।