ରାମ ମନ୍ଦିରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼; ବନ୍ଦ କରିଦେଲେ ପ୍ରବେଶ ଦ୍ୱାର

ଅଯୋଧ୍ୟା : ନବ ନର୍ମିତ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଆଜି ସର୍ବସାଧାରଣ ତଥା ଭକ୍ତଙ୍କ ପାଇଁ ଖୋଲା ଯାଇଥିଲା ମନ୍ଦିର । ହେଲେ ସକାଳୁ ମନ୍ଦିର ପହଡ଼ ଖୋଲିବା ପରେ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା  । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଦର୍ଶନ ବ୍ୟବସ୍ଥାରେ ଭକ୍ତଙ୍କ ଭିଡ଼ ଏତେ ବଢିଯାଇଥିଲା ଯେ,ଏହାକୁ ସମ୍ଭାଳିବା କଷ୍ଟକର ହୋଇଥିଲା ।  ଅସମ୍ଭାଳ ଭିଡ଼ କାରଣରୁ ୯.୩୦ରୁ ହିଁ ବ୍ୟାରିକେଟ୍ ଲଗାଇ ମନ୍ଦିର ପ୍ରବେଶ ଦ୍ୱାର ବନ୍ଦ କରିଦିଆଗଲା । ବର୍ତ୍ତମାନ ଦର୍ଶନ ବ୍ୟବସ୍ଥା ବନ୍ଦ ରହିଛି ।

ରାମ ଲଲାଙ୍କ ଦର୍ଶନ ପାଇଁ ଭୋର ୩ଟାରୁ ଲୋକମାନେ ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ଆଜି ଦର୍ଶନ କରିବାକୁ ଛୁଟି ଆସିଥିଲେ ଭକ୍ତବୃନ୍ଦ । ଏହାପରେ ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଥିଲା । ଏହପରେ ଭିଡ଼ ଅଚାନକ ବୃଦ୍ଧି ପାଇଥିଲା । ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ ମନ୍ଦିର କର୍ତ୍ତୃପକ୍ଷ । ଏହାରପରେ ମୁଖ୍ୟ ଗେଟ୍‌ ବନ୍ଦ କରିବା ସହ ରାପିଡ୍‌ ଆକ୍ସନ ଫୋର୍ସକୁ ଡକା ଯାଇଥିଲା ।

ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ଦେଢ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ପ୍ରତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ୧୫ରୁ ୨୦ ସେକେଣ୍ଡ ସମୟ ମିଳିବ । ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ସାରା ଦେଶରୁ ଅଯୋଧ୍ୟାକୁ ଛୁଟି ଆସିଛନ୍ତି ଭକ୍ତ । ସେହିପରି ଅନେକ ଶ୍ରଦ୍ଧାଳୁ ଅଯୋଧ୍ୟା ଯିବାକୁ ଟିକେଟ୍ ବୁକ୍ କରିସାରିଛନ୍ତି । ଗତକାଲି ମହାସମାରୋହରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ହଜାର ହଜାର ସଂଖ୍ୟାରେ ସାଧୁସନ୍ଥଙ୍କ ଗହଣରେ ଭକ୍ତିମୟ ହୋଇ ଉଠିଥିଲା ପରିବେଶ । ପ୍ରାଣ ପ୍ରତିଷ୍ଠା ପରେ ସାରା ଦେଶରେ ଗତକାଲି ପାଳନ ହୋଇଥିଲା ଦୀପୋତ୍ସବ । ଘରେ ଘରେ ଲୋକେ ଦୀପ ଜାଳି ରାମଙ୍କୁ ପୂଜାର୍ଚ୍ଚନା ସହ ସ୍ବାଗତ କରିଥିଲେ । ଜୋରଦାର ଆତସବାସୀ ମଧ୍ୟ ଦେଖିବାକୁ ମିଳିଥିଲା । ୧୦ ଲକ୍ଷରୁ ଅଧିକ ଦୀପ ଆଲୋକରେ ଝଲସି ଉଠିଥିଲା ପୂରା ଅଯୋଧ୍ୟା ନଗରୀ।