ଆରମ୍ଭ ହୋଇସାରିଛି ଭୂମି ପୂଜନ କାର୍ଯ୍ୟକ୍ରମ: ବୁଧବାର ୧୨ଟା ସୁଦ୍ଧା ଭୂମି ପୂଜନ ଆରମ୍ଭ ହେବ

ଭୁବନେଶ୍ୱର ବ୍ୟୁରୋ: କାଲି ରାମ ମନ୍ଦିର ପାଇଁ ଭୂମି ପୂଜନ । ଏଥିପାଇଁ ପୂରା ପ୍ରସ୍ତୁତ ଅଯୋଧ୍ୟା ନଗରୀ । କେବଳ ମୁଖ୍ୟ ରାସ୍ତା ନୁହେଁ, ଗଳିକନ୍ଦି ମଧ୍ୟ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଯେମିତି ସଜେଇ ହୋଇଛି । ବିଶାଳକାୟ ଟେଣ୍ଟ ସାଙ୍ଗକୁ ଲାଗିଛି ଏଲଇଡି । କାଲି ଦିନ ୧୨ଟା ୪୪ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଇଟା ରଖିବେ । ଏଥିପାଇଁ ସାରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୀମା ସିଲ କରାଯାଇଛି । ଅନ୍ୟପଟେ ଗତକାଲି ଗଣେଶ ବନ୍ଦନା ପରେ ଆଜି ରାମାର୍ଚ୍ଚନା କରାଯାଇ ହନୁମାନଙ୍କୁ ପୂଜା କରାଯାଇଛି ।

ବୁଧବାର ଅପେକ୍ଷାର ଅନ୍ତ ହେବ । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହେବ ଭୂମି ପୂଜା । ଗତକାଲିଠାରୁ ଆରମ୍ଭ ହୋଇଥିବା ଭୂମିପୂଜନ କାର୍ଯ୍ୟକ୍ରମରେ ଆଜି ରାମର୍ଚ୍ଚନା ପୂଜା କରାଯାଇଛି  । ଏହି ପୂଜା ସହ ହନୁମାନଗଡୀ ମନ୍ଦିରରେ ହନୁମାନ ଜୀଙ୍କ ପୂଜା ମଧ୍ୟ କରାଯାଇଛି । ଅଯୋଧ୍ୟାର ଅଧିଷ୍ଠାତା ରୂପେ ପୂଜକମାନେ ହନୁମାନଙ୍କୁ ଆବାହନ କରିଛନ୍ତି । ନିଶାନ ପୂଜାରେ ଆଖଡାର ନିଶାନକୁ ପୂଜା କରିବା ପରେ ହନୁମାନଙ୍କୁ ଆବାହନ କରାଯ଼ାଇଥିଲା ।

ସେପଟେ ବୁଧବାର ଭୂମିପୂଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନବବଧୂ ପରି ସଜେଇ ହୋଇଛି ପୂରା ଅଯୋଧ୍ୟା । ଗଣେଶ ପୂଜା, ରାମାର୍ଚ୍ଚନା ପୂଜା, ହନୁମାନ ପୂଜା ସହ ସରଜୁ ଘାଟରେ ଆଳତୀ କରି ପୂଜା ପାଇଁ ସମସ୍ତ ପ୍ରସ୍ତୁତି କରାଯ଼ାଇଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜାରେ ସାମିଲ ହେବେ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯ଼ାଇଛି । ବୁଧବାର 12ଟା ସୁଦ୍ଧା ଭୂମିପୂଜନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମନ୍ଦିର ନିର୍ମାଣର ପ୍ରଥମ ଇଟା ରଖିବେ । ହନୁମାନ ପୂଜା ପରେ ୧୨ଟା ୪୪ରେ ମୋଦି ମନ୍ଦିର ନିର୍ମାଣର ଶୁଭ ରଖିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି  ।

ଅଯୋଧ୍ୟାକୁ ଅତିଥି ଆସିବାରେ ଲାଗିଛନ୍ତି  । ଯୋଗଗୁରୁ ବାବା ରାମଦେବ ଅଯୋଧ୍ୟା ପହଞ୍ଚିଛନ୍ତି  । ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରର ସୀମାକୁ ସିଲ୍ କରିଦିଆଯାଇଛି । ଆଜି ସଂଧ୍ୟାରୁ ବାହାର ଲୋକଙ୍କୁ ପ୍ରବେଶ ପାଇଁ ବାରଣ ରହିଛି  । କାଲି ବଜାର ଘାଟ ଖୋଲା ରହିବ  । କିନ୍ତୁ ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି ବୋଲି ନିର୍ଦ୍ଦେଶ ରହିଛି  । ଏହାମଧ୍ୟରେ ରାମ ମନ୍ଦିର ପ୍ରସ୍ତାବିତ ମଡେଲ ସାମ୍ନାକୁ ଆସିଛି  ।

Leave a Reply