ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଆଜି ପଡିବ ଶୁଭ… ଦିନ ୧୨ଟା ୪୪ ମିନିଟରେ ପ୍ରଧାନମନ୍ତ୍ରୀ କରିବେ ଅନୁକୂଳ
ନୂଆଦିଲ୍ଲୀ: ଆଜି ପୁଣିଥରେ ଇତିହାସ ଲେଖିବ ଅଯୋଧ୍ୟା । ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହେବ ଭୂମି ପୂଜନ । ଏଥିପାଇଁ ପୂରା ପ୍ରସ୍ତୁତ ଅଯୋଧ୍ୟା ନଗରୀ । ଆଜି ଦେଶ ତଥା ବିଦେଶରେ ଉତ୍ସବର ମାହୋଲ ରହିଛି । ଦେଶ ମଙ୍ଗଳବାର ସନ୍ଧ୍ୟା ଠାରୁ ରାଜ୍ୟ ଉଜ୍ଜ୍ୱଳ ହୋଇଥିଲା, ଏହା ଆସନ୍ତାକାଲି ରାତି ପର୍ଯ୍ୟନ୍ତ ରହିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜାରେ ସାମିଲ ହେବେ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ୧୨ଟା ସୁଦ୍ଧା ଭୂମିପୂଜନ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମନ୍ଦିର ନିର୍ମାଣର ପ୍ରଥମ ଇଟା ରଖିବେ।
ହନୁମାନ ପୂଜା ପରେ ୧୨ଟା ୪୪ରେ ମୋଦି ମନ୍ଦିର ନିର୍ମାଣର ଶୁଭ ରଖିବେ । ଏଥିପାଇଁ ସାରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୀମା ସିଲ କରାଯାଇଛି । ଅଯୋଧ୍ୟାରେ ଦୀପୋତ୍ସବ ପାଳନ କରାଯାଉଛି। ଅଯୋଧ୍ୟା ଧାମରେ ୩୫,୧୦୦୦ ଦୀପ ଜଳା ଯାଇଛି। ଏହି ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି। ରାମନଗରୀରେ ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଉ ନାହିଁ। ବିନା କାର୍ଡରେ ମଧ୍ୟ ସହରକୁ ଯିବାକୁ ଅନୁମତି ମିଳୁନାହିଁ । ସୋମବାର ଠାରୁ ରାମନଗରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ରାମନଗରୀର ପ୍ରମୁଖ ମନ୍ଦିର ସମେତ କାର୍ଯ୍ୟସ୍ଥଳୀକୁ ମଧ୍ୟ କଡା ତଦାରଖରେ ରଖାଯାଇଛି। ଗଣେଶ ପୂଜା, ରାମାର୍ଚ୍ଚନା ପୂଜା, ହନୁମାନ ପୂଜା ସହ ସରଜୁ ଘାଟରେ ଆଳତୀ କରି ପୂଜା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ସେପଟେ ଦୁଇଦିନ ହେଲା ଅଯୋଧ୍ୟାକୁ ଅତିଥି ଆସିବାରେ ଲାଗିଛନ୍ତି । ଗତକାଲି ସଂଧ୍ୟାରୁ ବାହାର ଲୋକଙ୍କୁ ପ୍ରବେଶ ପାଇଁ ବାରଣ ରହିଛି । ଆଜି ବଜାର ଘାଟ ଖୋଲା ରହିବ । କିନ୍ତୁ ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି ବୋଲି ନିର୍ଦ୍ଦେଶ ରହିଛି । ଏହାମଧ୍ୟରେ ରାମ ମନ୍ଦିର ପ୍ରସ୍ତାବିତ ମଡେଲ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି ।