Exit Poll: ପଞ୍ଜାବରେ ବଦଳିବ ସରକାର, ଆପ ସପକ୍ଷରେ ବହୁମତ
1 min readଅମୃତସର: ପଞ୍ଜାବରେ ବଦଳିଯିବ ସତ୍ତା । ସରକାରରେ ବସିପାରେ ନୂଆ ଦଳ । ପଞ୍ଜାବ ବାସୀ ଦେଖିବାକୁ ଚାହୁଁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୧୧୭ ବିଧାନସଭା ଆସନରେ ନିର୍ବାଚନ ସରିଛି । ଆସନ୍ତା ୧୦ ତାରିଖରେ ଘୋଷଣା ହେବ ବିଧିବଦ୍ଧ ଫଳାଫଳ । ତେବେ ଆଜି ପ୍ରକାଶ ପାଇଥିବା ଅନେକ ଏକଜିଟ ପୋଲ ରିପୋର୍ଟ ମୁତାବିକ ପଞ୍ଜାବରେ ଆମ ଆଦମୀ ପାର୍ଟି ବହୁମତ ହାସଲ କରିପାରେ । ଇଣ୍ଡିଆ ଟୁଡେ ଆଜତକ ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ପଞ୍ଜାବରେ ଆପ୍ ୧୧୭ ଆସନ ମଧ୍ୟରୁ ୭୬ ରୁ ୯୦ ଟି ଆସନ ହାସଲ କରିପାରେ ।
ସେହିପରି ପୂର୍ବରୁ ସତ୍ତାରେ ଥିବା କଂଗ୍ରେସ ଦଳ ୧୯ରୁ ୩୧ଟି ଆସନ ହାସଲ କରିପାରେ । ଅନ୍ଯପକ୍ଷରେ ବିଜେପି ୧ରୁ ୪ଟି ଆସନରେ ବିଜୟ ଲାଭ କରିବା ନେଇ ଏକଜିଟ ପୋଲ ପ୍ରକାଶ ପାଇଛି । ସେହିପରି NDTV ମଧ୍ୟ ସମାନ ଆକଳନ କରିଛି । ବୁଥ ବାହୁଡ଼ା ମତ ଅନୁସାରେ ଆପ ପଞ୍ଜାବରେ ୬୮ରୁ ଆସନରେ ବିଜୟ ହାସଲ କରିପାରେ । ତେବେ ପଞ୍ଜାବରେ କଂଗ୍ରେସ ଦୀର୍ଘଦିନ ଧରି ସରକାରରେ ରହିଥିବେଳେ ଏଥର ପଞ୍ଜାବବାସୀ ନୂଆ ମୁହଁ ଦେଖିବାକୁ ଚାହୁଁଥିବା ଜଣାପଡିଛି ।
ଯଦି ଏକଜିଟ୍ ପୋଲ ସତ ପ୍ରକାଶ ହୁଏ, ତେହେ ଦିଲ୍ଲୀ ପରେ କୌଣସି ଏକ ଦ୍ୱିତୀୟ ରାଜ୍ୟରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବରେ ଏକ ଭିନ୍ନ ତରିକାରେ ଲଢିଥିଲେ ନିର୍ବାଚନ । ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଥିଲା ଆପ୍ । ଭଗୱନ୍ତ ମାନଙ୍କୁ ଦଳ ଚେହେରା କରି ନିର୍ବାଚନରେ ଓହ୍ଲାଇଥିଲା । ସମଗ୍ର ରାଜ୍ୟରେ ଭଗୱନ୍ତଙ୍କ ପୋଷ୍ଟରରେ ନିର୍ବାଚନ ଲଢିଥିଲା ଦଳ । ତେବେ ଆପ ଯଦି ପଞ୍ଜାବରେ ବହୁମତ ହାସଲ କରେ, ତେବେ ମୁଖ୍ୟମନ୍ତ୍ରୀ ହେବେ ଭଗୱନ୍ତ ମାନ୍ ।