AAPରେ ସାମିଲ ହେଲେ UPSCର ଲୋକପ୍ରିୟ ଶିକ୍ଷକ ଅବଧ ଓଝା

ନୂଆଦିଲ୍ଲୀ: ଆପରେ ସାମିଲ ହେଲେ ୟୁପିଏସସିର ଖ୍ୟାତିନାମ ଶିକ୍ଷକ ତଥା ମୋଟିଭେସନାଲ ସ୍ପିକର ଅବଧ ଓଝା । ଅରବିନ୍ଦ୍ର କେଜରିଓ୍ବାଲ ଏବଂ ମନୀଷ ସିସୋଦିଆଙ୍କ ଉପସ୍ଥିତିରେ ଆପରେ ଯୋଗ ଦେଇଛନ୍ତି ଅବଧ ଓଝା । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ରାଜନୀତିରେ ସୁଯୋଗ ଦେଇଥିବାରୁ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ମନୀଷ ସିସୋଦିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅବଧ ଓଝା ।
ଆପରେ ଅବଧ ଓଝା ସାମିଲ ହେବା ପରେ ଅରବିନ୍ଦ କେଜରିଓ୍ବାଲ ତାଙ୍କୁ ଦଳରେ ସ୍ବାଗତ କରିବା ସହ ଦିଲ୍ଲୀରେ ଶିକ୍ଷାକ୍ଷେତ୍ରରେ କ୍ରାନ୍ତି ଆଣିବାରେ ସେ ସହାୟକ ହେବେ ବୋଲି କହିଛନ୍ତି । ଦଳ ତାଙ୍କର ପ୍ରୟାସ ଏବଂ ଚିନ୍ତାଧାରାକୁ ସମ୍ମାନ ଦେବ । ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଛି। ଏମିତିରେ ସେ ଦିଲ୍ଲୀରେ ଆପ୍ର ଟିକେଟରୁ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଅନୁମାନ କରାଯାଉଛି।
ଉତ୍ତରପ୍ରଦେଶ ଗୋଣ୍ଡାରୁ ଆସିଥିବା ଅବଧ ଓଝା ୟୁପିଏସସି ଏବଂ ମୋଟିଭେସନାଲ ସ୍ପିକର ପାଇଁ ଘରେ ଘରେ ପରିଚିତ । ତାଙ୍କର ପୁରା ନାମ ଅବଧ ପ୍ରତାପ ଓଝା ଅଟେ । ତାଙ୍କର ପ୍ରାଥମିକ ଶିକ୍ଷା ଗୋଣ୍ଡାରେ ହୋଇଥିଲା । ସେ ଗୋଣ୍ଡାର ଫତିମା ଇଣ୍ଟର କଲେଜରୁ ଗ୍ରାଜୁଏଟ ହୋଇଛନ୍ତି । ଆସନ୍ତା ଫେବୃୟାରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ ଅବଧ ଓଝା ପ୍ରାର୍ଥୀ ଭାବରେ ଛିଡା ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । କିଛିଦିନ ପୂର୍ବେ ଅରବିନ୍ଦ କେଜରିଓ୍ବାଲ ସବୁ କ୍ଷେତ୍ରରୁ ଆପ ଏକାକୀ ଲଢିବ ବୋଲି ସୂଚନା ଦେଇଥିଲେ ।
ଅବଧ ଓଝା ଦଳରେ ସାମିଲ ହେବା ପରେ ଆପର ସମସ୍ତ ନେତା ଏବଂ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶିକ୍ଷା କ୍ଷେତ୍ରରେ ବିକାଶ ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି କ୍ଷେତ୍ରରେ ତାଙ୍କୁ କାମ କରିବାକୁ ସୁଯୋଗ ଦେଇଥିବାରୁ ସେ କେଜରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।