ମାଙ୍ଗାଲୁରୁର ଅଟୋରେ ବିସ୍ଫୋରଣ; ଡିଜିପି କହିଲେ ଆତଙ୍କବାଦୀ…

ମାଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁରେ ଶନିବାର ଏକ ଅଟୋରେ ହୋଇଥିବା ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍ ଥିବା ସୂଚନା ମିଳିଛି। ଏନେଇ କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ କହିଛନ୍ତି, ଏହା ସାଧାରଣ ବିସ୍ଫୋରଣ ନୁହେଁ ବରଂ ଏକ ଆତଙ୍କବାଦୀ ଆକ୍ରମଣ ।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟା ୫ଟା ବେଳକୁ ଏକ ଅଟୋରେ ଜୋରଦାର ବ୍ଲାଷ୍ଟ ହୋଇଥିଲା । ଯେଉଁଥିରେ ଦୁଇ ଜଣ ଆହତ ହୋଇଥିଲେ । ତେବେ ସିସିଟିଭି ଫୁଟେଜ୍ ଅନୁଯାୟୀ, ସ୍ଥାନୀୟ ଏକ ବିଲ୍ଡିଂ ପାଖରେ ଗୋଟିଏ ଅଟୋ ରହିଥିଲା । ଏହାର କିଛି ସମୟ ପରେ ଅଟୋରେ ବିସ୍ଫୋରଣ ଘଟିଥିଲା । ତେବେ ଉକ୍ତ ଅଟୋରେ ଥିବା ଏକ ବ୍ୟାଗରେ ବିସ୍ଫୋରଣ ସାମଗ୍ରୀ ଥିବା ନେଇ ଚର୍ଚ୍ଚା ହେଉଛି ।

ତେବେ ପ୍ରାଥମିକ ଯାଞ୍ଚ ପରେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ କର୍ଣ୍ଣାଟକର ଗୃହ ମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କହିଛନ୍ତି ଯେ ରାଜ୍ୟ ପୋଲିସ, କେନ୍ଦ୍ରୀୟ ଏଜେନ୍ସି ସହ ମିଶି ଏହି ମାମଲାର ତଦନ୍ତ କରୁଛି ।