ଲେଡି ଡନ୍‌ଙ୍କ ଇସାରାରେ ଅଟୋ ଚାଳକକୁ ନିର୍ଦ୍ଧୁମ ପିଟିଲେ ନିଶାସକ୍ତ ଯୁବକ

ଭୁବନେଶ୍ୱର: ଜୟଦେବ ବିହାର ପାଲହାଇଟ୍ସ ନିକଟରେ ଅଟୋ ଚାଳକକୁ ନିର୍ଦ୍ଧୁମ ପିଟିଲେ କିଛି ନିଶାସକ୍ତ ଯୁବକ । ଅଟୋ ପାର୍କିଂକୁ ନେଇ ପ୍ରଥମେ ବଚସା ଓ ପରେ ମାରପିଟ ଆରମ୍ଭ ହୋଇଯାଇଥିଲା । ଅଟୋ ଚାଳକଙ୍କୁ ଟେକି ନେଇ ନିର୍ଦ୍ଧୁମ ପିଟିବା ସହ ଅପହରଣ କରିବାକୁ ଉଦ୍ୟମ କରିଥିଲେ ନିଶାସକ୍ତ ଯୁବକ । ଜଣେ ଲେଡି ଡନଙ୍କ ଇସାରାରେ ୪ ଜଣ ଅସାମାଜିକ ଯୁବକ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।

ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଲୁହା ରଡ଼ ଓ ପ୍ଲାଷ୍ଟିକ ପାଇପରେ ଅଟୋ ଚାଳକଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଅଟୋଚାଳକ ସୁରେନ୍ଦ୍ର ରାଉଳଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି ସ୍ଥାନୀୟଲୋକ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ଅସାମାଜିକ ଯୁବକମାନେ ଚମ୍ପଟ ମାରିଥିଲେ । କିଛି ସମୟରେ ଘଟଣାସ୍ଥଳରେ ପିସିଆର ପୋଲିସ ପହଞ୍ଚି ଉଭୟ ଲେଡିଡନ୍ ଓ ଆହତ ଅଟୋ ଚାଳକଙ୍କୁ ଥାନାକୁ ନେଇଛି ପୋଲିସ । ରାଜଧାନୀରେ ଏଭଳି ଆକ୍ରମଣ ଓ ଅପହରଣ ଉଦ୍ୟମ ଘଟଣା ଲୋକଙ୍କ ଭିତରେ ଭୟ ସୃଷ୍ଟି କରିଛି ।