ୟୁରୋପରେ ଅଣାୟତ୍ତ କରୋନା; ଅଷ୍ଟ୍ରିଆରେ ଲାଗୁହେବ ଲକଡାଉନ

ଅଷ୍ଟ୍ରିଆ: ୟୁରୋପରେ ଆହୁରି ଖରାପ ସ୍ଥିତି ସୃଷ୍ଟି କଲା କରୋନା । ଆସନ୍ତା ସୋମବାରରୁ ଅଷ୍ଟ୍ରିଆରେ ଦେଶବ୍ୟାପୀ ଜାରି ହେବ ଲକଡାଉନ । ଦେଶରେ କରୋନାସ୍ଥିତି ଗମ୍ଭୀର ହେଉଥିବାରୁ ଚତୁର୍ଥ ଥର ଲାଗି ଦେଶବ୍ୟାପୀ ଲକଡାଉନ କରିବା ଲାଗି ସରକାର ଘୋଷଣା କରିଛନ୍ତି । ଚତୁର୍ଥ ଓ ପଞ୍ଚମ ଲହର ୟୁରୋପର ଅଧିକାଂଶ ଦେଶରେ ଜାରି ରହିଥିବା ବେଳେ ଅଷ୍ଟ୍ରିଆରେ ସ୍ଥିତି ସବୁଠାରୁ ଗମ୍ଭୀର ରହିଛି ।

ଦେଶରେ ବର୍ତ୍ତମାନ ପ୍ରତି ଏକ ଲକ୍ଷ ଲୋକରେ ୯୯୧ ଜଣ ଲୋକ ସଂକ୍ରମିତ ହେଉଥିବାରୁ ଚିନ୍ତା ବଢିଛି । ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସାଲଜବର୍ଗ ଓ ଅପର ଅଷ୍ଟ୍ରିଆ ପ୍ରଜାତନ୍ତ୍ର । ସେଠାରେ ଲକଡାଉନ ଅଧିକ କଠୋର ହେବା ସମ୍ଭାବନା ରହିଛି । ଅଷ୍ଟ୍ରିଆ ଚାନସେଲର ଆଲେକଜାଣ୍ଡାର ସାଲେନବର୍ଗ କହିଛନ୍ତି କୋଭିଡକୁ ନିୟନ୍ତ୍ରଣ କରିବା ଲାଗି ଏହି ଲକଡାଉନ ହେଉଛି । ତୁରନ୍ତ ଲୋକେ ଟିକା ନେବାକୁ ସେ ପରାମର୍ଶ ଦେଇଛନ୍ତି । ଶୀତ ଋତୁରେ ଏହି ସଂକ୍ରମଣ ଅଧିକ ବ୍ୟାପୁଥିବାରୁ ଏହି ଲକଡାଉନ କରାଯିବ । ସେପଟେ ନେଦରଲ୍ୟାଣ୍ଡରେ ବି ଆଂଶିକ ଲକଡାଉନ କରାଯାଇଛି । ଏବେ ଜର୍ମାନୀରେ ଚତୁର୍ଥ ଲହରୀ ଜାରି ରହିଥିବା ବେଳେ ଫ୍ରାନ୍ସରେ ବି ଜାରି ରହିଛି ପଞ୍ଚମ ଲହରୀ । ପୂର୍ବ ତୁଳନାରେ ଜର୍ମାନୀରେ ସ୍ଥିତି ଅତି ସାଙ୍ଘାତିକ ହୋଇଛି । ସେହିପରି ସୁଇଡେନ, ବ୍ରିଟେନ, ସ୍ଲୋଭାକିଆ ଆଦି ରାଷ୍ଟ୍ରରେ ବି ଚିନ୍ତା ବଢାଇଛି ଭାଇରସ ।

Leave a Reply