ବିଶ୍ବକପ କ୍ରିକେଟରେ ଅଷ୍ଟ୍ରେଲିଆର ରେକର୍ଡ ବିଜୟ, ୩୦୯ ରନରେ ନେଦରଲାଣ୍ଡ ପରାସ୍ତ

ବ୍ୟୁରୋ ରିପୋର୍ଟ: ବିଶ୍ବକପ କ୍ରିକେଟରେ ଅଷ୍ଟ୍ରେଲିଆର ରେକର୍ଡ ବିଜୟ । ୩୦୯ ରନ ବ୍ୟବଧାନରେ ନେଦରଲ୍ୟାଣ୍ଡସକୁ ହରାଇଲା ଅଷ୍ଟ୍ରେଲିଆ । ୪୦୦ ରନ ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୯୦ ରନରେ ଅଲଆଉଟ ହୋଇଗଲା ନେଦରଲ୍ୟାଣ୍ଡସ । କୌଣସି ରନ କରିପାରିଲେନି ନେଦରଲ୍ୟାଣ୍ଡର ୩ ଜଣ ଖେଳାଳି । ୪ ଜଣ ଖେଳାଳି ଦୁଇଅଙ୍କ ଛୁଇଁନଥିବାବେଳେ ସର୍ବାଧିକ ୨୫ ରନ କରିଥିଲେ ବିକ୍ରମଜିତ୍ ସିଂ । ବିଶାଳ ବିଜୟ ସହିତ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ଟସି ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ଗ୍ଲେନ ମାକ୍ସୱେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବିଶାଳ ରନ କରିଥିଲା ଟିମ୍ କଂଗାରୁ । ୪୦ଟି ବଲରେ ଶତକ ହାସଲ କରି ବିଶ୍ବକପରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଛନ୍ତି ମାକ୍ସୱେଲ ।

୪୪ଟି ବଲରେ ୧୦୬ ରନ କରି ମାକ୍ସଓ୍ବେଲ ପ୍ୟାଭିଲିୟନ ଫେରିଥିଲେ । ଡେଭିଡ୍ ଓ୍ବାର୍ଣ୍ଣର ମଧ୍ୟ ଶତକ ହାସଲ କରିଥିଲେ  । ସେ ୯୩ ବଲରେ ୧୦୪ ରନ ସଂଗ୍ରହ କରିଥିଲେ । ଷ୍ଟିଭ ସ୍ମିଥ ୭୧ ରନ କରିଥିବାବେଳେ ମାର୍ନସ ଲାବୁସେନ୍ ୬୨ ରନ ସଂଗ୍ରହ କରିଥିଲେ । ନେଦରଲ୍ୟାଣ୍ଡସ ଟିମର ବୋଲର ଲୋଗାନ ଭ୍ୟାନବିକ୍ ସର୍ବାଧିକ ୪ଟି ୱିକେଟ ନେଇଥିଲେ  । ୧୦ ଓଭରରେ ୭୪ ରନ ଦେଇଥଲେ ଭ୍ୟାନବିକ୍ । ସେହିପରି ବାସ ଡଲିଡେଙ୍କୁ ୨ଟି ୱିକେଟ ମିଳିଥିଲା। ୪୦୦ ରନର ବିଶାଳ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ନେଦରଲ୍ୟାଣ୍ଡସ  । ହେଲେ କ୍ରମାଗତ ଦଳର ଓ୍ବିକେଟ ପତନ ହୋଇଥିଲା । ଶେଷରେ ୨୧ ଓଭରରେ ୯୦ ରନ କରି ଅଲଆଉଟ ହୋଇଯାଇଥିଲା ନେଦରଲ୍ୟାଣ୍ଡସ ।