ଭାରତ ଆକ୍ସନରେ ଅଷ୍ଟ୍ରେଲିଆ ମିଡିଆର ରିଆକ୍ସନ: କଙ୍ଗାରୁ ଟିମକୁ ଗାଳି ବର୍ଷା, ପ୍ଲେଇଂ ଇଲେଭେନକୁ ନେଇ ଉଠିଲା ପ୍ରଶ୍ନ

1 min read

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଭାରତର ଜବରଦସ୍ତ ବିଜୟ । କଙ୍ଗାରୁ ଟିମକୁ ଗୋଟିଏ ଇଂନିସ ଓ ୧୩୨ ରନରେ ହରାଇ ୪ ଟିକିଆ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଗୋଟିଏ ସେସନରେ ଭାରତୀୟ ବୋଲର ଅଷ୍ଟ୍ରେଲିଆ ସମସ୍ତ ୧୦ଟି ଓ୍ବିକେଟ ଝଡ଼ାଇ ଦେଇଥିଲେ । ଯାହାକୁ ନେଇ ଏବେ ଆଷ୍ଟ୍ରେଲିଆ ମିଡିଆରେ ଆରମ୍ଭ ହୋଇଯାଇଛି କଙ୍ଗାରୁ ଟିମର ସମାଲୋଚନା ।

ଅଷ୍ଟ୍ରେଲିଆ ହାରିବା ପରେ ସେଠିକାର ମିଡିଆରେ ଅସନ୍ତୋଷ ଫୁଟି ଫୁଟି ବାହାରୁଛି । ଆଷ୍ଟ୍ରେଲିଆ ଖେଳାଳିଙ୍କ ଉପରେ ବର୍ଷୁଛନ୍ତି ତାଙ୍କ ଦେଶର ମିଡିଆ । ଏପରିକି କ୍ରିକେଟ ପ୍ରଶଂସକ ମଧ୍ୟ ଟିମ୍ କଙ୍ଗାରୁକୁ ଗାଳି କରିବାର ମୌକା ହାତଛଡ଼ା କରୁନାହାନ୍ତି । ଏମିତି କି କିଛି ମିଡିଆ ପ୍ଲେଇଂ ଇଲେଭେନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ ଦେଇଛନ୍ତି । କିଛି ମିଡିଆ ଆଉଟଲେଟ୍ସଙ୍କ ଅନୁସାରେ ମ୍ୟାଚରେ ଏମିତି ବି ଗୋଟିଏ ସମୟ ନଥିଲା, ଯେଉଁଠି ଭାରତ ଉପରେ ଚାପ ଦେଖିବାକୁ ମିଳିଥିଲା ।

କିଛି ମିଡିଆ ଭାରତୀୟ ଖେଳାଳିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ଭାରତୀୟ ଖେଳାଳି ଟେକ୍ନିକାଲି ଆଷ୍ଟ୍ରେଲିଆ ଖେଳାଳିଙ୍କଠାରୁ ଭଲ ଥିବା କହିଛନ୍ତି । କିଛି ମିଡିଆ ପ୍ଲେଇଂ ଇଲେଭେନକୁ ନେଇ ପ୍ରଶ୍ନ ଉଠାଇବା ସହ ଟ୍ରାଭିସ ହେଡ ଏବଂ ଗ୍ରୀନ୍ ଜେସଙ୍କ ପରି ଖେଳାଳିଙ୍କୁ ସ୍ଥାନ ଦେବାକୁ ଦାବି କରିଛନ୍ତି ।

ଫ୍ୟାକ୍ସ ସ୍ପୋର୍ଟ ଉଲ୍ଲେଖ କରିଛି, ‘ଅଷ୍ଟ୍ରେଲିଆ ଟିମ୍ ଭାରତ ବିଛାଇ ଥିବା ଜାଲରେ ଫସିଗଲା । ପ୍ରଥମେ ଦାବି କରାଯାଉଥିଲା ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ପିଚ୍ ଖରାପ ସ୍ବପ୍ନ ପରି ହେବ । ଏହି ଭୟ ଡେଭିଡ ଓ୍ବାର୍ଣ୍ଣରଙ୍କ ମନରେ ଘୁରି ବୁଲୁଥିଲା ଓ ଏହା ତାଙ୍କ ଖେଳରେ ମଧ୍ୟ ଦେଖିବାକୁ ମିଳିଥିଲା । ଓ୍ବାର୍ଣ୍ଣନ ନୂଆ କରି କ୍ରିକେଟ ଶିଖୁଥିବା ପିଲାଙ୍କ ଭଳି ଖେଳୁଥିବା ନଜରକୁ ଆସିଥିଲା । ଆଷ୍ଟ୍ରେଲିଆ କ୍ରିଜ ଉପରେ ସଂଘର୍ଷ କରି ଦୁଇଟି ଇଂନିସରେ ଯଥାକ୍ରମେ ୧୭୭ ଓ ୯୧ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଭାରତ ଗୋଟିଏ ଇଂନିସରେ ୪୦୦ ରନ୍ କରି ପାରିଥିଲା ।’ ପ୍ଲେଇଂ ଇଲେଭେନରେ ଟ୍ରାଭିସ ହେଡଙ୍କୁ ସାମିଲ କରାନଯିବାକୁ ନେଇ ମଧ୍ୟ ଫ୍ୟାକ୍ସ ସ୍ପୋର୍ଟ ପ୍ରଶ୍ନ ଉଠାଇଛି ।

ସେହିପରି ସିଡନୀ ମର୍ଣ୍ଣିଂ ହେରାଲ୍ଡ ଭାରତ ବିଜୟ ପରେ ପିଚକୁ ନେଇ ଉଲ୍ଲେଖ କରିଛି । ଏଥିରେ ଲେଖାଯାଇଛି, ଏସିଆଇ କଣ୍ଡିସନରେ ଆଷ୍ଟ୍ରେଲିଆକୁ ହରାଇବାକୁ ସବୁଠାରୁ ଭଲ ପିଚ୍ ନିର୍ମାଣ କରାଯାଇଛି । ଯାହା ଉପରେ ରନ୍ କରିବା କାଠିକର ପାଠ । ଏସିଆଇ ଟିମ ଏମିତି ପିଚ୍ ନିର୍ମାଣ କରିବାକୁ ଚାହୁଁନାହାନ୍ତି, ଯାହା ଦୁଇ ଦଳଙ୍କୁ ସହାୟ ହେବ । ରିପୋର୍ଟରେ ମ୍ୟାଚକୁ ଗଲ୍ ଟେଷ୍ଟ ସହ ତୁଳନା କରାଯିବା ସହ ଲେଖାଯାଇଛି ଦିନେଶ ଚାଣ୍ଡିମାଲ, ରୋହିତ ଶର୍ମା, ଜାଡେଜା, ଅକ୍ଷର ପଟେଲଙ୍କ ପରି ଖେଳାଳି ଆଷ୍ଟ୍ରେଲିଆକୁ ଦୁଇଟି ଇଂନିସ୍ ଖେଳିବାକୁ ବି ସୁଯୋଗ ଦେଲେ ନାହିଁ ।