ସଫଳ ହେଲା ଗମ୍ଭୀର-ରୋହିତଙ୍କ ’ମାଷ୍ଟରଷ୍ଟ୍ରୋକ’: ବରୁଣଙ୍କୁ ସାମ୍ନା କରିବା ନେଇ ଚିନ୍ତାରେ ଅଷ୍ଟ୍ରେଲିଆ
1 min read
ଚାମ୍ପିୟନ୍ସ ଟ୍ରଫିର ଅନ୍ତିମ ମୁକାବିଲାରେ ପ୍ରତିପକ୍ଷ ନ୍ୟୁଜିଲାଣ୍ଡକୁ ଟିମ୍ ଇଣ୍ଡିଆ ୪୪ ରନରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତ ଗ୍ରୁପ-ଏ’ର ଟପ୍ ସ୍ଥାନ ଅକ୍ତିଆର କରିବା ଗ୍ରୁପ-ବି’ର ଦ୍ବିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ସେମିରେ ଭେଟିବ । ତେବେ ମାତ୍ର ୨୪୯ ରନ୍ ସଂଗ୍ରହ କରିଥିଲେ ହେଁ ବୋଲିଂ ଶକ୍ତି ବଳରେ ଭାରତ ଏହି ମ୍ୟାଚକୁ ନିଜ ଅକ୍ତିଆରକୁ ନେଇ ପାରିଥିଲା । ଏହି ମ୍ୟାଚରେ ଭାରତୀୟ ଲେଗ ସ୍ପିନର ବରୁଣ ଚକ୍ରବର୍ତ୍ତୀ ୧୦ ଓଭର ବୋଲିଂ କରି ୪୨ ରନ୍ ଦେଇ ୫ ଓ୍ବିକେଟ ଅକ୍ତିଆର କରିଥିଲେ । ସେଥିପାଇଁ ବରୁଣଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ ଘୋଷଣା କରାଯାଇଥିଲା ।
ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ହେଡ୍ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମାଙ୍କ ’ମାଷ୍ଟରଷ୍ଟ୍ରୋକ’ ସଫଳ ହୋଇଛି । ପ୍ଲେଇଂ-୧୧ରେ ବରୁଣଙ୍କୁ ସାମିଲ କରିବା ପାଇଁ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ବାହାରେ ବସିବାକୁ ପଡ଼ିଥିଲା । ଏପରି ପଦେକ୍ଷପ ନେବା ଦଳ ପାଇଁ ମହଙ୍ଗା ପଡ଼ିବାର ସମ୍ଭାବନା ଥାଏ, ସେଥିପାଇଁ ଏହା ଏକ ବଡ଼ ରିସ୍କ ଥିଲା । ଟିମ୍ ଇଣ୍ଡିଆର ’ଚକ୍ରବ୍ୟୁହ’ରେ ଫସି ଆଉ ମୁକୁଳି ପାରିନଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ । ମହମ୍ମଦ ଶାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ପେସ ବିଭାଗ ସମ୍ଭାଳିଥିଲେ । କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲଙ୍କ ସ୍ପିନ ଜାଲରେ ନ୍ୟଜିଲାଣ୍ଡ ହଡ଼ବଡ଼େଇ ଯାଇଥିଲା । ନ୍ୟୁଜିଲାଣ୍ଡ ଅଧିନାୟକ ଦଳକୁ ବଞ୍ଚାଇବା ପାଇଁ ସଂଘର୍ଷ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । ତେବେ ଗମ୍ଭୀରଙ୍କ ଏହି ମାଷ୍ଟରଷ୍ଟ୍ରୋକ ଏବେ କଙ୍ଗାରୁ ପାଇଁ ଚିନ୍ତାର କାରଣ ପାଲଟିଛି । ବରୁଣଙ୍କ ଏହି ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରଦର୍ଶନ ପରେ ସେମିରେ ସେ ଖେଳିବା ଏକପ୍ରକାର ସୁନିଶ୍ଚିତ ହୋଇଯାଇଛି । ତେଣୁ ବରୁଣଙ୍କୁ ସାମ୍ନା କରିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ । ଆସନ୍ତା ୪ ତାରିଖରେ ଭାରତ-ଅଷ୍ଟ୍ରେଲିଆା ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ପ୍ରଥମ ସେମି ମୁକାବିଲା ହେବ ।