କୋଭ୍ୟାକ୍ସିନକୁ ଅଷ୍ଟ୍ରେଲିଆ ସରକାରଙ୍କ ଅନୁମତି

1 min read

ସିଡନୀ: ଭାରତୀୟ ଭ୍ୟାକ୍ସିନକୁ ନାଲି ଆଖି ଦେଖାଉ ଥିବା ଅଷ୍ଟ୍ରେଲିଆ ଶେଷରେ ନରମିଛି । ଭାରତ ଚାପରେ ଅଷ୍ଟ୍ରେଲିଆ ସରକାର ପ୍ରଥମେ କୋଭିସିଲ୍ଡ ଓ ଏବେ କୋଭ୍ୟାକ୍ସିନକୁ ଅନୁମତି ଦେଇଛନ୍ତି । ଏବେ କୋଭ୍ୟାକ୍ସନ ନେଇଥିବା ଲୋକେ ଅଷ୍ଟ୍ରେଲିଆକୁ ସହଜରେ ଯାଇପାରିବେ । ଏହାସହ ଚୀନର BBIBBP-CorVକୁ ମଧ୍ୟ ଅଷ୍ଟ୍ରେଲିଆ ସରକାରଙ୍କ ସବୁଜ ସଙ୍କେତ ମିଳିଛି ।

ସୋମବାର ଅଷ୍ଟ୍ରେଲିଆର ଥେରୁପ୍ୟୁଟିକ ଗୁଡସ୍ ଆଡମିନିଷ୍ଟ୍ରେସନ (TGA) କୋଭ୍ୟାକ୍ସିନକୁ ଅନୁମତି ଦେଇଛନ୍ତି । ୧୨ ବର୍ଷ ଓ ତା’ଠାରୁ ଅଧିକ ବୟସର ଲୋକ ଯେଉଁମାନେ କୋଭ୍ୟାକ୍ସିନ ଟିକା ନେଇଥିବେ ଅଷ୍ଟ୍ରେଲିଆରେ ପ୍ରବେଶ କରି ପାରିବେ ।

ଏହାଦ୍ବାରା ବିଦେଶୀ ଛାତ୍ର ଏବଂ ଯାତ୍ରୀ ସହଜରେ ଯିବା ଆସିବା କରିପାରିବେ । ଏହାସହ କୁଶଳୀ ଓ ଅଣକୁଶଳୀ କର୍ମଚାରୀ ମଧ୍ୟ ଅଷ୍ଟ୍ରେଲିଆ ସହଜରେ ଯାଇପାରିବେ ।

ଏବେ କୋଭ୍ୟାକ୍ସିନ ଓ ଚାଇନାର BBIBP-CorVକୁ ଅନୁମତି ମିଳିଥିବାରୁ ଏହାକୁ ଯେଉଁ ଦେଶର ଲୋକ ନେଇଥିବେ ସେମାନେ ମଧ୍ୟ ଅବାଧରେ ଅଷ୍ଟ୍ରେଲିଆାକୁ ଯାଇପାରିବେ ।

WHO ମଞ୍ଜୁରୀକୁ ଅପେକ୍ଷା

ସୂଚନାଯେଗ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏପର୍ଯ୍ୟନ୍ତ କୋଭ୍ୟାକ୍ସିନକୁ ଅନୁମତି ଦେଇନାହାନ୍ତି । ଗତ ଅକ୍ଟୋବର ୨୬ ତାରିଖରେ WHOରେ ଏକ ବୈଠକ ହୋଇଥିଲା । ଏଥିରେ କୋଭ୍ୟାକ୍ସିନକୁ ଅନୁମତି ମିଳିଯିବ ବୋଲି ଆଶା କରାଯାଉଥିଲା, ହେଲେ ସେମିତି କିଛି ହେଲାନାହିଁ । ପୁଣି ନଭେମ୍ବର ୩ ତାରିଖରେ WHOର ଆଉ ଏକ ବୈଠକ ହେବାକୁ ଯାଉଛି । ଏଥର ଭାରତ ବାୟୋଟେକ୍ ଟିକା କୋଭ୍ୟାକ୍ସିନକୁ ଅନୁମତି ମିଳିଯିବା ନେଇ ଆଶା ରହିଛି । ଗତ ଏପ୍ରିଲ ୧୯ରେ ଭାରତ ବାୟୋଟେକ ପକ୍ଷରୁ ଅନୁମତି ପାଇଁ WHOରେ ଆବେଦନ କରାଯାଇଥିଲା । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ସହ ମିଶି ଭାରତ ବାୟୋଟେକ କୋଭ୍ୟାକ୍ସିନକୁ ବିକଶିତ କରିଛି ।

Leave a Reply