ସମର୍ଥ ଅପହରଣ ଓ ହତ୍ୟା ମାମଲା: ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଅଭିଯୁକ୍ତର ଧମକପୂର୍ଣ୍ଣ ଅଡିଓ

1 min read

ଝାରସୁଗୁଡ଼ା: ଝାରସୁଗୁଡ଼ାର ବହୁଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାରେ ଭାଇରାଲ ହେଉଛି ଏକ ଅଡିଓ । ଫୋନରେ ମୃତ ସମର୍ଥଙ୍କ ବାପାଙ୍କୁ ଟଙ୍କା ଦାବି କରିବା ସହ ଧମକ ଦେଉଥିବା ଶୁଣିବାକୁ ମିଳୁଛି ।

ଅଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସମର୍ଥଙ୍କ ବାପାଙ୍କୁ ଅପହରଣକାରୀ ଫୋନ୍ କରି ପୁଅ ସମର୍ଥର ମୁକ୍ତି ପାଇଁ ୯୦ ଲକ୍ଷ ଟଙ୍କା ଦାବି କରୁଛନ୍ତି । ଏହି ଭାଇରାଲ ଅଡିଓରେ ସମର୍ଥକଙ୍କ ବାପା ସୁନୀତ ଅଗ୍ରୱାଲଙ୍କ ସହ ଅଭିଯୁକ୍ତ ଅମିତ ଶର୍ମା କଥା ହେଉଛନ୍ତି ।

ଏଥିରେ ଅପହରଣକାରୀ ୯୦ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ସୁନୀତ ଟଙ୍କା ଯୋଗାଡ଼ କରିଦେବେ ଓ ପୁଅର କିଛି କ୍ଷତି ନକରିବାକୁ କାନ୍ଦି କାନ୍ଦି ନେହୁରା ହେଉଥିଲେ । ହେଲେ ନାବାଳକ ସମର୍ଥକୁ ଅଭିଯୁକ୍ତ ହତ୍ୟା କରିଥିଲେ ।

ଗତ ୨୭ ତାରିଖରେ ସମର୍ଥକୁ ଅପହରଣ କରାଯାଇଥିଲା । ୨୮ ତାରିଖରେ ବରଗଡ଼ ଜିଲ୍ଲା ଭେଡେନ ଥାନା ଅଞ୍ଚଳରୁ ମିଳିଥିଲା ସମର୍ଥଙ୍କ ମୃତଦେହ l ଏହି ଘଟଣାରେ ୩ ଜଣଙ୍କୁ ଝାରସୁଗୁଡ଼ା ପୋଲିସ ଗିରଫ କରିଛି । ଟଙ୍କା ପାଇଁ ଅପହରଣ ଓ ହତ୍ୟା କରାଯାଇଥିବା ଝାରସୁଗୁଡ଼ା ଏସପି ପୂର୍ବରୁ କହିଥିଲେ l