କଟକ ବାରବାଟୀ ଟି-ଟ୍ବେଣ୍ଟି ପାଇଁ ବଢୁଛି କ୍ରେଜ୍ । ସାଇଟ୍ ଖୋଲୁ ଖୋଲୁ ସରିଗଲା ଟିକେଟ୍ । ଟିକେଟ ନପାଇ ନିରାଶ ୩୦ ହଜାରରୁ ଅଧିକ । ଅନଲାଇନରେ ବିକ୍ରିହେଲା ୨ ହଜାର ଟିକେଟ୍ । ୯ ତାରିଖରେ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ସିରିଜର ପ୍ରଥମ ମ୍ଯାଚ କଟକରେ ଖେଳିବ ଟିମ୍ ଇଣ୍ଡିଆ । ଏଥିପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଏଥିପାଇଁ ଆଜିଠାରୁ ଅନଲାନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ଅପରାହ୍ଣ ୨ଟାରେ ସାଇଟ ଖୋଲୁଖୋଲୁ କେଇ ମିନିଟ ଭିତରେ ୨ ହଜାର ଟିକେଟ ସରି ଯାଇଛି । ଫଳରେ ଲାଇନରେ ଥିବା ପ୍ରାୟ ୩୦ ହଜାର ଦର୍ଶକ ଟିକେଟ ନପାଇ ନିରାଶ ହୋଇଛନ୍ତି । ଅନଲାଇନରେ ଟିକେଟ ବିକ୍ରି ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଲୋକେ ।
ଆସନ୍ତା ୩ ଓ ୪ ତାରିଖରେ ଓସିଏ ଅନୁବନ୍ଧିତ ସଂଗଠନ, ସ୍କୁଲ, କଲେଜ ଓ କ୍ଲବଗୁଡିକୁ ଟିକେଟ ବିକ୍ରି କରାଯିବ । ଓସିଏ କନଫରେନ୍ସ ହଲରେ ୧୧ ହଜାର ଟିକେଟ ବିକ୍ରି ହେବ । ୫ ତାରିଖରେ କାଉଣ୍ଟରରେ ମିଳିବ ୧୦ ହଜାର ଟିକେଟ । ଚଳତବର୍ଷ 1,2,3,4 ନମ୍ବର ଗ୍ୟାଲେରୀ ପାଇଁ ଟିକେଟ ମୂଲ୍ଯ ୧୧ଶହ ଟଙ୍କା ଥିବା ବେଳେ ୭ ନମ୍ବର ଗ୍ୟାଲେରୀ ଟିକେଟ ୯ ଶହ ଓ ୫ ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ଯ ୧୨ଶହ ଟଙ୍କା ରହିଛି । ସ୍ପେଶାଲ ଏନକ୍ଲୋଜର ଟିକେଟ ୬ହଜାର ଟଙ୍କା, ନ୍ୟୁ ପାଭିଲିୟନ ୮ ହଜାର, ଏସି ବକ୍ସ ୧୦ ହଜାର ଓ କର୍ପୋରେଟ ବକ୍ସ ୨୦ ହଜାର ଟଙ୍କା ରଖାଯାଇଛି । ଏହାଛଡ଼ା ୧୮ ହଜାର ପାସ ଓସିଏ ବିଭିନ୍ନ ବର୍ଗର ଅତିଥି ଓ ଦର୍ଶକଙ୍କୁ ପ୍ରଦାନ କରିବ ।
ଏକଦିବସୀୟ ଶୃଙ୍ଖଳା ଶେଷ ହେବା ପରେ ଆସନ୍ତା ୭ ତାରିଖରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଭୁବନେଶ୍ୱରରେ ପହଞ୍ଚିବେ । ୮ ତାରିଖରେ ଉଭୟ ଦଳ ଅଭ୍ୟାସ ପାଇଁ କଟକ ଆସିବେ । ପ୍ରଥମେ ଭାରତ ଏବଂ ସନ୍ଧ୍ୟାରେ ଦକ୍ଷିଣ ଆଫ୍ରିକା ଟିମ୍ ଅଭ୍ୟାସ କରିବେ । ଏହାକୁ ଦେଖିବା ଲାଗି ୭ ନମ୍ବର ଫାଟକ ଓ ୬ ନମ୍ବର ଗ୍ୟାଲେରି ଖୋଲା ରଖାଯିବ । ଆବଶ୍ୟକସ୍ଥଳେ ଗ୍ୟାଲେରି ନମ୍ବର ୧ ଓ ୨ ମଧ୍ୟ ଖୋଲାଯିବାକୁ ଯୋଜନା ରଖାଯାଇଛି । ମ୍ୟାଚ୍ ପାଇଁ ମୋଟ ୫୦ କୋଟି ଟଙ୍କାର ବୀମା ହୋଇଛି ।

