ସଫ୍ଟଓ୍ବେର ଇଞ୍ଜିନିୟର ଆତ୍ମହତ୍ୟା ଘଟଣା: ଆଗୁଆ ଜାମିନ ଆବେଦନ କଲେ ସ୍ତ୍ରୀ, ମାଆ ଓ ଭାଇ
ବେଙ୍ଗାଲୁରୁ: ସ୍ତ୍ରୀ ନିର୍ଯାତନା ସହି ନପାରି ବେଙ୍ଗଳୁରୁର ସଫ୍ଟଓ୍ବାର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା କରିବା ଘଟଣା । ଆଗୁଆ ଜାମିନ ପାଇଁ ଆବେଦନ କଲେ ପତ୍ନୀ ନିକିତା । ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଏହି ଜାମିନ ଆବେଦନ କରିଛନ୍ତି । ଆଲ୍ଲାହାବାଦ ହାଇକୋର୍ଟରେ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏହାସହ ତାଙ୍କ ମାଆ ଓ ଭାଇ ମଧ୍ୟ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।
ସ୍ତ୍ରୀର ନିର୍ଯାତନା ସହି ନପାରି ଅତୁଲ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ସେ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଛାଡ଼ି ଯାଇଛନ୍ତି । ଯେଉଁଥିରେ ତାଙ୍କ ପତ୍ନୀ ଓ ପରିବାର ଲୋକେ ତାଙ୍କୁ ଦେଇଥିବା ନିର୍ଯାତନା ଗୋଟି ଗୋଟି ଉଲ୍ଲେଖ କରି ଯାଇଛନ୍ତି ।
ଏହାକୁ ଆଧାର କରି ବେଙ୍ଗଲୁରୁ ପୋଲିସ ଆସନ୍ତାକାଲି ସୁଦ୍ଧା ହାଜର ହେବାକୁ ପତ୍ନୀ ନିକିତାଙ୍କୁ ସମନ କରିଛି । ବୟାନ ରେକର୍ଡ କରିବାକୁ ଏହି ସମନ କରାଯାଇଛି । ଗିରଫଦାରିକୁ ଏଡ଼ାଇବାକୁ ସେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ଆଇନ କରାଯାଇଥିଲା, ତା’ର ଅପବ୍ୟବହାର କରି କେମିତି ସ୍ଵାମୀମାନଙ୍କୁ ନିର୍ଯାତନା ଦିଆଯାଉଛି, ଏହା ତାର ଏକ ଉଦାହରଣ ।