ଭିଡିଓ କରି ଜୀବନ ହାରିଲେ, ପତ୍ନୀ ଏବଂ ଜଜଙ୍କ ନାଁରେ ଆଣିଲେ ସାଙ୍ଘାତିକ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ମନ ପସନ୍ଦର ତାରିଖ ପାଇଁ ୫୦ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଉଛନ୍ତି ଜଜ । ଓକିଲ ମଧ୍ୟ ଏଥିରେ ସମ୍ପୃକ୍ତ ରହିଥାନ୍ତି । ସ୍ତ୍ରୀଙ୍କ ମିଛ ଅଭିଯୋଗ ସାଙ୍ଗକୁ କୋର୍ଟରେ ନିର୍ଯାତନାର ଶିକାର । ଶେଷରେ ଭିଡିଓ ସୁଟିଂ କରି ହାରିଦେଲେ ଜୀବନ । କିନ୍ତୁ ଆତ୍ମହତ୍ୟା କରିବା ପୂର୍ବରୁ କିଭଳି ଭାବେ ତାଙ୍କୁ ନିର୍ଯାତନା ଦିଆାଇଛି ଓକିଲ ଏବଂ ତାଙ୍କ ସ୍ତ୍ରୀ କିଭଳି ମିଛ କେସରେ ଫସାଇଛନ୍ତି ଏହାକୁ ଭିଡିଓ ମାଧ୍ୟମରେ କହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାଙ୍ଗାଲୋରରେ କାମ କରୁଥିବା ଜୋନପୁରର ଇଞ୍ଜିନିୟର ଅତୁଲ ସୁବାଷଙ୍କ ଆତ୍ମହତ୍ୟା ଗଣମାଧ୍ୟମରେ ହେଡ ଲାଇନ ପାଲଟିଛି । ସେ ଆତ୍ମହତ୍ୟା କରିବା ପୂର୍ବରୁ ଭିଡିଓରେ କହିଛନ୍ତି କି, କୋର୍ଟରେ କିଭଳି ଭାବେ ଶୋଷଣର ଶିକାର ହୋଇଛନ୍ତି ।

ସେ ଭିଡିଓରେ କହିଛନ୍ତି କି, ଜୋନପୁର ଫ୍ୟାମିଲ୍ କୋର୍ଟର ଜଜ ରିତା କିଭଳିଭାବେ ୫୦ ଟଙ୍କା ମଧ୍ୟ ଲାଞ୍ଚ ନିଅନ୍ତି । ମ୍ୟାଡାମଙ୍କ ପାଖରେ ବସିଥିବା ପେସକାର ମାଧବ ପ୍ରତି କଥାରେ ଲାଞ୍ଚ ମାଗିଥାନ୍ତି । ସେ ବୟସ୍କ ହୁଅନ୍ତୁ କି ଗରୀବ କାହାକୁ ମଧ୍ୟ ଏମାନେ ଛାଡ଼ନ୍ତି ନାହିଁ । ସମସ୍ତଙ୍କୁ ଲାଞ୍ଚ ମାଗିଥାନ୍ତି । ମୋତେ ମଧ୍ୟ ମ୍ୟାଡାମ ନିଜେ ୫ ଲକ୍ଷ ଟଙ୍କା ମାଗିଛନ୍ତି । ସ୍ତ୍ରୀ ମୋ ନାଁରେ ମିଛ ଯୌତୁକ ନିର୍ଯାତନା ମାମଲା ଲଗାଇଥିବାବେଳେ ଜଜ ଧମକ ଦେଇଥିଲେ କି, ୩ କୋଟି ଟଙ୍କାର ଭରଣ ପୋଷଣ ଦେବାକୁ । ଏହାର ସେଟେଲମେଣ୍ଟ ଏବଂ ପରିମାଣ କମ କରିବା ପାଇଁ ଲାଞ୍ଚ ମାଗିଥିଲେ । ଆଉ ମୁଁ ଯେତେବେଳେ ଆତ୍ମହତ୍ୟା କରିବି ବୋଲି କହିଥିଲି ସେ ଏହାର ମଜାକ ଉଡ଼ାଇଥିଲେ । ଆଉ ହସିଥିଲେ । ଏଭଳି ଭାବେ ସ୍ତ୍ରୀ ଏବଂ ଶଶ୍ବର ଘର ଲୋକେ ମଧ୍ୟ ବାରମ୍ବାର ହଇରାଣ କରୁଥିବା ଭିଡିଓରେ ଜଣାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।