spot_img

Latest Posts

ବଧୂହତ୍ୟା ଉଦ୍ୟମ ମାମଲା : କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ

ରାୟଗଡ଼ା: ସ୍ବାମୀ କେମିତି ସାଜିଥିଲା ସଇତାନ ? କିଭଳି ଯୌତୁକ ପାଇଁ କରାଯାଇଥିଲା ହତ୍ୟା ଉଦ୍ୟମ ? କୋର୍ଟରେ ସବୁ କହିଲେ ଯୌତୁକ ପାଇଁ ନିର୍ଯାତନାର ଶିକାର ହୋଇଥିବା ନବବଧୂ। ରାୟଗଡ଼ା ଜିଲ୍ଲା ପଦ୍ମପୁର ବଧୂହତ୍ୟା ଉଦ୍ୟମ ମାମଲାରେ ଆଜି ପୀଡ଼ିତା ରଶ୍ମିତା ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରାଯାଇଛି । ଅସୁସ୍ଥତା ସତ୍ତ୍ବେ ରଶ୍ମିତା ଗୁଣୁପୁର ସିଭିଲ ଜଜ୍‌ କୋର୍ଟରେ ପହଞ୍ଚି ବୟାନ ଦେଇଛନ୍ତି। ଆମ୍ବୁଲାନ୍ସରେ ଆସି ଷ୍ଟ୍ରେଚରରେ ବୁହା ହୋଇ କୋର୍ଟ ଭିତରକୁ ଯାଇଥିଲେ ରଶ୍ମିତା। ସିଭିଲ ଜଜ୍ ସନ୍ତୋଷ କୁମାର ମହାପାତ୍ରଙ୍କ ସମ୍ମୁଖରେ ସେ ବୟାନ ଦେଇଛନ୍ତି।

୨୦୨୨ ଅକ୍ଟୋବର ୨୮ ତାରିଖରେ ଘଟଣା ଘଟିଥିଲା। ପଦ୍ମପୁରସ୍ଥିତ ଶାଶୂଘରେ ସ୍ବାମୀ କିରୋସିନ ଢାଳିଥିବା ବେଳେ ଦେଢ଼ଶୁର ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ରଶ୍ମିତା କହିଛନ୍ତି। ଗୁରୁତର ଅବସ୍ଥାରେ ରଶ୍ମିତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀର ୮୦ପ୍ରତିଶତ ପୋଡ଼ିଯାଇଛି। ରଶ୍ମିତାଙ୍କ ବାପା ରାମେଶ୍ବର ପାଣିଗ୍ରାହୀ ପଦ୍ମପୁର ଥାନାରେ ରଶ୍ମିତାଙ୍କ ସ୍ବାମୀ ଓ ଦେଢଶୁରଙ୍କ ବିରୋଧରେ ଏତଲା ଦେଇଥିଲେ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜେଲ୍‌ରେ କିଛି ମାସ ରହିବା ପରେ ୮ ଡିସେମ୍ବର ୨୦୨୨ରେ ଦେଢ଼ଶୁରଙ୍କୁ ଏବଂ ୧୦ ନଭେମ୍ବର ୨୦୨୩ରେ ସ୍ବାମୀ ରାମଚନ୍ଦ୍ରଙ୍କୁ ଜାମିନ ମିଳିଛି।

ରଶ୍ମିତା ବର୍ଷେ ଧରି କଟକ ବଡ଼ ମେଡିକାଲରେ ଚିକିତ୍ସା ପରେ ଅସୁସ୍ଥତା ସତ୍ତ୍ବେ ଆମ୍ବୁଲାନ୍ସ ଯୋଗେ ଆଜି ଗଣୁପୁର କୋର୍ଟରେ ପହଞ୍ଚିଥିଲେ। ମାମଲାରେ ବର୍ତ୍ତମାନ ସୁଦ୍ଧା ୧୦ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ପରେ କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରସା ଥିବା ରଶ୍ମିତା ଓ ତାଙ୍କ ବାପା କହିଛନ୍ତି।

Latest Posts

Don't Miss