ନାବାଳକଙ୍କୁ ଅପହରଣ ଉଦ୍ୟମ ଭଣ୍ଡୁର, ଅଧା ରାସ୍ତାରେ କାରରୁ ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ୍

ଉଦଳା: ନାବାଳକଙ୍କୁ ଅପହରଣ ଉଦ୍ୟମ ଭଣ୍ଡୁର । ପିଲାଟି ପାଟି କରିବାରୁ ଧରାପଡିଯିବା ଭୟରେ କାରରୁ ଫିଙ୍ଗି ଦେଇ ଚମ୍ପଟ ମାରିଲେ ଅପହରଣକାରୀ । ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ନାବାଳକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଫକୀରମୋହନ ବିଶ୍ୱ ବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଚନ୍ଦନେଶ୍ୱର ସାହୁଙ୍କ ପୁଅ ଜନ୍ମେଞ୍ଜୟ ସାହୁଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ଜନ୍ମେଞ୍ଜୟ ଟ୍ୟୁସନରୁ ଫେରୁଥିବା ବେଳେ, ଏକ କାର ତାଙ୍କ ପାଖରେ ଅଟକି ଥିଲା । କାର ଭିତରୁ କିଛି ଲୋକ ତାଙ୍କୁ ଉଦଳାକୁ ରାସ୍ତା ପଚାରିଥିଲେ । ନାବାଳକ ଜଣଙ୍କ ସେମାନଙ୍କୁ ରାସ୍ତା ବତାଉଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ କାର ଭିତରକୁ ଟାଣି ନେଇ ଫେରାର ହୋଇଯାଇଥିଲେ । ପିଲାକୁ ଚୁପ କରିବାକୁ ଅପହରଣକାରୀ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦେଇଥିଲେ ।

ଅପହରଣକାରୀ ଉଦଳା ରାସ୍ତାରେ ଯିବା ବେଳେ ପିଲାଟିର ଚେତା ଚାଲି ଆସିଥିଲା ଓ ସେ ଚିତ୍କାର କରିବାକୁ ଲାଗିଥିଲା । ଫଳରେ ଧରାପଡିଯିବା ଭୟରେ ଅପହରଣକାରୀ ତାଙ୍କୁ ଉଦଳା ରାସ୍ତାରେ କାରରୁ ଫିଙ୍ଗି ଦେଇ ଫେରାର ହୋଇଯାଇଛନ୍ତି ।

ପ୍ରାଥମିକ ତଦନ୍ତରୁ ଗାଡିରେ ୩ ଜଣ ଦୁର୍ବୃତ୍ତ ଥିବା ଜଣାପଡିଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।