ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା, ତଥ୍ୟ ଲୁଚାଇବାକୁ ସରକାରଙ୍କ ଉଦ୍ୟମ !
ଭୁବନେଶ୍ବର: ତଥ୍ୟ ଲୁଚାଇବାର ନୂଆ ତରିକା । ଗତ ରଥଯାତ୍ରା ସମୟରେ ରାଷ୍ଟ୍ରପତି ପୁରୀ ରାଜଭବନରେ ଥିବା ସମୟରେ ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିଲେ । ହେଲେ ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି, ତାକୁ ସେଥିରୁ ସ୍ପଷ୍ଟ ବାରି ହୋଇପଡୁଛି ସରକାର ତଥ୍ୟ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ପୁଅ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ଥାନାରେ ମାମଲା ହୋଇଛି । ଏହାକୁ ନେଇ ରାଜ୍ୟରେ ତୁମ୍ଭିତୋଫାନ ହୋଇଥିଲା । ପୂର୍ବତନ ସେନା ଅଧିକାରୀମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ । ସେ ସମୟରେ ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ୧୫ ଦିନରେ ସେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଏହି ଘଟଣାରେ ଜିଲ୍ଲାପାଳଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି କି ନାହିଁ ? ଯଦି ରିପୋର୍ଟ ଆସିଛି, କାର୍ଯ୍ୟାନୁଷ୍ଠାନ ନିଆଯାଇଛି କି ନାହିଁ ସେ ନେଇ ଆଜି ବିଧାନସଭାରେ ଏକ ଅଣତାରକା ପ୍ରଶ୍ନ ପଚାରିଥିଲେ ବିଧାୟକ ତୁଷାରକାନ୍ତି ବେହେରା । ଆଉ ଏହାର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯେଉଁ ଘଟଣାକୁ ନେଇ ଏତେ ହଟଚମଟ ହୋଇଥିଲା ତା’ର ତଦନ୍ତ ରିପୋର୍ଟ ଏଯାଏଁ ସରକାରଙ୍କ ହସ୍ତଗତ ହେଲା କି ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାନାହିଁ । ତଥ୍ୟ ସଂଗ୍ରହ ଚାଲୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଏକ ଉଦବେଗର କଥା ହେଲା, ଡିସେମ୍ବର ୨ ତାରିଖର ପ୍ରଶ୍ନ ଓ ଉତ୍ତର ହୋଇଥିଲେ ମଧ୍ୟ ବିଧାନସଭା ସଚିବାଳୟ ପକ୍ଷରୁ ଯୋଗାଇ ଦିଆଯାଇଥିବା ଲିଖିତ ଉତ୍ତରପତ୍ର ଉପରେ ସେପ୍ଟେମ୍ବର ଦୁଇ ତାରିଖ ବୋଲି ଲେଖାଯାଇଛି । ଜାଣିଶୁଣି ଗଣମାଧ୍ୟମକୁ ବିଭ୍ରାନ୍ତ କରିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ଭୁଲ ତାରିଖ ଦର୍ଶାଇ ଯାଇଥିବା ଅଭିଯୋଗ ହୋଇଛି ।