ଠେଙ୍ଗାରେ ଆକ୍ରମଣ କରି ଓ ଗୁଳି ଫୁଟାଇ ସୁନା ଗହଣା ଲୁଟ୍

ଠେଙ୍ଗାରେ ଆକ୍ରମଣ କରି ଓ ଗୁଳି ଫୁଟାଇ ସୁନା ଗହଣା ଲୁଟ୍। ନବରଙ୍ଗପୁର ଜିଲ୍ଲା ରାଇଘର କୋଦଭଟାରେ ବାପା ମାକୁ ଠେଙ୍ଗାରେ ଆକ୍ରମଣ କରି ପୁଅ ଉପରେ  ଗୁଳିମାଡ଼ କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ବନ୍ଧୁକ ଫୁଟାଇ ସୁନା ଅଳଙ୍କାର ଲୁଟ୍ କରିନେଲେ ଦୃର୍ବୁତ୍ତ। କୋଦଭଟା ଗାଁରେ ସନ୍ତୋଷୀ ଜୁଏଲାରୀ ମାଲିକ ରାମ ଡାକୁଆ ଦୋକାନ ବନ୍ଦ କରି ରାତିରେ ଘରକୁ ଫେରିଥଲେ। ଘର ପାଚେରୀ ଭିତରେ ପଶିବା ସମୟରେ ସ୍ତ୍ରୀ ସଙ୍ଗୀତା ଡାକୁଆ ବାହାରକୁ ଆସିଥିଲେ। ଏହି ସମୟରେ ପୂର୍ବରୁ କିଛି ଦୁର୍ବୃତ୍ତ ପାଚେରୀ ପାଖରେ ଲୁଚି ରହିଥିଲେ। ରାମ ଡାକୁଆ ଓ ତାଙ୍କ ସ୍ତ୍ରୀ ଘର ଭିତରେ ପଶିବା ସମୟରେ ଦୃର୍ବୃତ୍ତମାନେ ତାଙ୍କ ଉପରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ।ବାପାକୁ ଆକ୍ରମଣ ହେଉଥିବା ଦେଖି ତାଙ୍କ ପୁଅ ସେମାନଙ୍କ ଉପରେ ଢେଲା ମାଡ଼ କରିଥିଲେ। ଏହା ପରେ ୧୨ ବର୍ଷର ପୁଅ କ୍ରିଷ୍ଣା ଡାକୁଆ ଉପରକୁ ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ। କିନ୍ତୁ କ୍ରିଷ୍ଣା କୌଣସି ମତେ ସେଠାରୁ ଖସି ଚାଲି ଯାଇଥିଲେ। ଦୃର୍ବୁତ୍ତ ଗହଣା ଭର୍ତ୍ତି ଥିବା ଦୁଇଟି ବ୍ୟାଗ ଛଡ଼ାଇ ନେଇଥିଲେ। ଦୃର୍ବୁତ୍ତଙ୍କ ଆକ୍ରମଣରେ ରାମ ଡାକୁଆଙ୍କ ମୁଣ୍ଡରେ ଆଘାତ ହୋଇଥିବାବେଳେ ସଙ୍ଗୀତାଙ୍କ ବେକରେ ଆଘାତ ଲାଗିଛି। ଉଭୟଙ୍କୁ ରାଇଘର ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଅ କ୍ରିଷ୍ଣାକୁ ଗୁଳି ବାଜି ନଥବାବେଳେ ଘଟଣାସ୍ଥଳରେ ଖୋକା ପଡ଼ିଛି। ରାଇଘର ଥାନାରୁ ଅଧା କିଲୋ ମିଟର ଦୂରରେ ଘଟିଛି ଏହି ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ରାଇଘରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପୋଲିସ ସିଲ କରି ଗାଡ଼ିଗୁଡିକୁ ଯାଞ୍ଚ କରୁଛି। ଲୁଟ ଅଳଙ୍କାରର ମୂଲ୍ୟ କେତେ ହେବ ତାହା ସ୍ଵଷ୍ଟ ହୋଇ ନାହିଁ।