ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ଛୁରାମାଡ଼

1 min read

ଚେନ୍ନାଇ: ନିର୍ବାଚନ ପୂର୍ବରୁ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ଛୁରାମାଡ଼ । ହାତ ମିଳାଇବା ବାହାନାରେ ପେଟକୁ ଛୁରିରେ ଭୁଷିଲେ ସମର୍ଥକ । ଆଜି ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ତେଲଙ୍ଗାନାର ମେଡକରୁ ସାଂସଦ ଥିବା କୋଟା ପ୍ରଭାକର ରେଡ୍ଡିଙ୍କ ଉପରକୁ ହୋଇଛି ଆକ୍ରମଣ । ଭାରତୀୟ ରାଷ୍ଟ୍ରୀୟ ସମିତିର ସାଂସଦ ଥିବା ପ୍ରଭାକର ରେଡ୍ଡି ଏଥର ମେଡକ ଜିଲ୍ଲାର ଡୁବକରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।  ଡୁବକ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ହୋଇଥିବା ପ୍ରଭାକର ଦୌଲାତାବାଦ ମଣ୍ଡଳରେ ପ୍ରଚାର ଅଭିଯାନରେ ସାମିଲ ଥିବାବେଳେ ତାଙ୍କୁ ଦୁର୍ବୃତ୍ତ ଛୁରାମାଡ କରିଛି ।

ତାଙ୍କ ପେଟରେ  ଛୁରାଘାତ ହେବା ଯୋଗୁ ସେ ଗୁରୁତର ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛୁରାମାଡ଼ ପରେ ସ୍ଥାନୀୟ ଲୋକେ ଦୁର୍ବୃତ୍ତକୁ କାବୁ କରି ପିଟିଥିବା ସୂଚନା ମିଳିଛି । ତାକୁ ପୋଲିସ ହେପାଜତକୁ ନିଆଯାଇଛି ବୋଲି କହିଛନ୍ତି ସିଦିପେଟ ପୋଲିସ କମିଶନର ଏନ. ଶ୍ବେତା । ସଂପୃକ୍ତ ଯୁବକ ଜଣଙ୍କ ଛେପାୟାଲ ମିର୍ଦ୍ଦୋଧି ମଣ୍ଡଳର ରାଜୁ ବୋଲି ଜଣାପଡିଛି । ପେଷାରେ ରାଜୁ ଜଣେ ୟୁଟ୍ୟୁବର ବୋଲି ପୋଲିସ କହିଛି । ଏ ଛୁରାମାଡ଼ ପଛରେ କଂଗ୍ରେସର ହାତ ଥିବା BRS ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅଭିଯୋଗ କରିଛନ୍ତି । ଆସନ୍ତା ୩୦ ତାରିଖରେ ତେଲେଙ୍ଗାନାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ତା ପୂର୍ବରୁ ଏଭଳି ଘଟଣା ଅନ୍ୟ ପ୍ରାର୍ଥୀଙ୍କର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି  କରିଛି ।