ଚିକିତ୍ସାଳୟରେ ସୁରକ୍ଷା ବ୍ୟବସ୍ଥା ଢିଲା, ଡାକ୍ତରଖାନାରେ କାର୍ଯ୍ୟରତ ଆଟେନଣ୍ଡାଣ୍ଟକୁ ମାଡ଼

ନନ୍ଦିଘୋଷ ବ୍ୟୁରୋ : ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା ବ୍ୟବସ୍ଥା ଢିଲା। ନିଜକୁ ଅସୁରକ୍ଷିତ ମଣୁଛନ୍ତି ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀ । ଜଣେ ଯୁବକ ଭଦ୍ରକ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଆଟେନଣ୍ଡାଣ୍ଟକୁ ମାଡ଼ ମାରୁଛନ୍ତି । ସିସିଟିଭିରେ କଏଦ୍ ହୋଇଥିବା ଏହି ଭିଜୁଆଲ ରବିବାର ରାତିର । ରାତି ପ୍ରାୟ ଗୋଟାଏରେ ଜଣେ ଯୁବକ ଆଟେନଣ୍ଡାଣ୍ଟକୁ ମାଡ଼ ମାରୁଛନ୍ତି । ବାସୁଦେବପୁର ଅଞ୍ଚଳରୁ ଜଣେ ଗୁରୁତର ଦୁର୍ଘଟଣାଗ୍ରସ୍ତ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସେ ଆସିବା ପରେ ତାଙ୍କୁ ଆଉଟଡୋରରେ ଦାଖଲ କରାଯାଇଥିଲା । ଆଉଟଡୋରରେ ତାଙ୍କୁ ଡ୍ୟୁଟିରେ ଥିବା ଡାକ୍ତର ଓ ଆଟେଣ୍ଡାଣ୍ଟ ବାବାଜୀ ସାହୁ ଚିକିତ୍ସା କରିଥିଲେ । ଗୁରୁତର ରୋଗୀଙ୍କୁ ଆଟେଣ୍ଡାଣ୍ଟ ବାବାଜୀ ଡ୍ରେସିଂ କରିବା ବେଳେ ସେଠାରେ ଉପସ୍ଥିତ ଜଣେ ରୋଗୀଙ୍କ ସମ୍ପର୍କୀୟ ତାଙ୍କୁ ବାରମ୍ବାର ଆକ୍ରମଣ କରିବା ସହ ଗାଳିଗୁଲଜ କରିଥିଲା ।
ଏହାର ଦୃଶ୍ୟ ସିସିଟିଭି ଫୁଟେଜରେ ରେକର୍ଡ ହୋଇଛଇ । ତେବେ ତାଙ୍କୁ ଆକ୍ରମଣ ବେଳେ ଜଣେ କେହି ସିକ୍ୟୁରିଟି ଗାର୍ଡ ସେଠାରେ ଉପସ୍ଥିତ ନଥିଲେ କି ଆକ୍ରମଣକାରୀକୁ କାବୁ କରିନଥିଲେ । ଯାହାକୁ ନେଇ ଅନେକ ଡାକ୍ତର ନର୍ସ, ଫାର୍ମାସିଷ୍ଟ ଓ ଡାକ୍ତରଖାନା କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୈନିକ ୪୯ଜଣ ସୁରକ୍ଷା କର୍ମୀ ସିଫ୍ଟ ଡ୍ୟୁଟିରେ କାର୍ଯ୍ୟ କରୁଛନ୍ତି । ତେବେ ଜଣେ କେହି ସୁରକ୍ଷା କର୍ମୀ ଡାକ୍ତରଖାନା କର୍ମଚାରୀଙ୍କୁ ସୁରକ୍ଷା ଦେଇନପାରିବା ସମସ୍ତଙ୍କୁ ଆଚମ୍ବିତ କରିଛି ।
ଅନ୍ୟପଟେ ମେଡିକାଲ ପରିସରରେ ଏକ ପୋଲିସ ଆଉଟପୋଷ୍ଟ ଥିଲେ ମଧ୍ୟ କେହି ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ଘଟଣାରେ ମାଡ଼ ଖାଇଥିବା ଆଟେଣ୍ଡାଣ୍ଟ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାସ୍ତବରେ ୪୯ ଜଣ ସୁରକ୍ଷା କର୍ମୀ ଡ୍ୟୁଟି କରୁଛନ୍ତି କି ନାହିଁ ଏଥିନେଇ ନିୟମିତ ଯାଞ୍ଚ ହେବାକୁ ଦାବି ହୋଇଛି। ତେବେ ଏପରି ଘଟଣା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଘଟୁଥିଲେ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ତୁରନ୍ତ ନ୍ୟାୟ ପ୍ରଦାନ ସହିତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବୀ ହୋଇଛି।