ଏକତରଫା ପ୍ରେମରୁ ଆକ୍ରମଣ, ପ୍ରେମିକା ଓ ତାଙ୍କ ବାପା ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

ଭଦ୍ରକ : କାଲି ଯାଏଁ ଯିଏ ପ୍ରେମିକ ଥିଲା ହଠାତ୍ ପାଲଟିଗଲା ପିଶାଚ । ଯାହାକୁ ବାହା ହେବ ବୋଲି ସ୍ୱପ୍ନ ଦେଖୁଥିଲା, କେତେ କଣ ସଜବାଜ କରୁଥିଲା ହଠାତ୍ ତାକୁ ଜୀବନରୁ ମାରିଦେବାକୁ କଲା ଉଦ୍ୟମ । କୃରତା ଓ ନିଷ୍ଠୁରତାର ଚରମ ସୀମାରେ ପହଞ୍ଚିଲା ପାଗଳ ପ୍ରେମିକ । ଗତକାଲି ରାତିରେ ଭଦ୍ରକର ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ରାତିର ଅନ୍ଧାରରେ ପାଗଳ ପ୍ରେମିକ, ପ୍ରେମିକା ଓ ତାଙ୍କ ବାପାଙ୍କୁ ମାରଣାସ୍ତ୍ରରେ ହାଣି ଜୀବନରୁ ମାରିବାକୁ ଉଦ୍ୟମ କରିଛି । ଉଭୟଙ୍କୁ ଭଦ୍ରକ ହସ୍ପିଟାଲରେ ଭର୍ତ୍ତିକରି ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି । ଏକତରଫା ପ୍ରେମରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବ ଗଡିଆ ଛକରେ ଏଭଳି ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ବନ୍ତ ଥାନା ଅନ୍ତର୍ଗତ ଦୋଳପଦି ଗ୍ରାମର ରବୀନ୍ଦ୍ର ସାହୁ ନିଜର ବି.ଟେକ ପଢୁଆ ଝିଅ ନମିତାଙ୍କୁ ଡାକ୍ତର ଦେଖାଇବା ପାଇଁ କଟକ ଯାଇଥିଲେ । ଗତକାଲି ଡି.ଏମ.ୟୁ ଟ୍ରେନରୁ କେନ୍ଦୁଆପଦା ଷ୍ଟେସନ ରେ ଓହ୍ଲାଇ ଏକ ସ୍କୁଟି ଯୋଗେ ବାପ ଝିଅ ଘରକୁ ଫେରୁଥିଲେ ।  ପ୍ରାୟ ରାତି ୧୦ଟା ସମୟରେ ଡାଳିମ୍ବ ଗଢିଆ ଛକ ନିକଟରେ ଯୁବକ ଜଣଙ୍କ, ଉଭୟଙ୍କ ଉପରେ ଧାରୁଆ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲା ।

ବାପ ଝିଅ ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ଗଡୁଥିଲେ । ସ୍ଥାନୀୟ ଲୋକ ଏକ ଗାଡି ଯୋଗେ ଦୁଇଜଣଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଦୁଇ ଜଣଙ୍କୁ କଟକ ରେଫର କରାଯାଇଥିବା ସୂଚନା ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏକତରଫା ପ୍ରେମରେ ବିଫଳ ହେବାରୁ ପ୍ରେମିକ ଏଭଳି ନାରକୀୟ କାଣ୍ଡ ଭିଆଇଥିବା ସୂଚନା ମିଳିଛି । ପୋଲିସ ଘଟଣାର ଅନୁଧ୍ୟାନ ଚଳାଇଥିବା ବେଳେ, ଅଭିଯୁକ୍ତ ଫେରାର ଅଛି ।

Leave a Reply