ବିଜେପିର ଗୁଣ୍ଡା କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ କରିଛନ୍ତି: ମନୀଷ ସିସୋଦିଆ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ ।  ଡେପୁଟି ସିଏମ୍ ମନୀଷ ସିସୋଦିଆ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, କିଛି ଅସାମାଜିକ ଲୋକ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ କରି ସିସିଟିଭି କ୍ୟାମେରା ଏବଂ ସୁରକ୍ଷା ବ୍ୟାରିକେଡ଼କୁ ଭାଙ୍ଗିଛନ୍ତି । ଏହା ବ୍ୟତୀତ ଗେଟରେ ଥିବା ବୁମ୍ ବ୍ୟାରିୟରକୁ ମଧ୍ୟ ଭାଙ୍ଗି ଦିଆଯାଇଛି ।

ମନୀଷ ସିସୋଦିଆ ଲେଖିଛନ୍ତି ଯେ, ବିଜେପିର ଗୁଣ୍ଡାମାନେ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଭଙ୍ଗାରୁଜା କରିଛନ୍ତି । କେବଳ ସେତିକି ନୁହେଁ, ବିଜେପି ପୋଲିସ ସେମାନଙ୍କୁ ଅଟକାଇବା ପରିବର୍ତ୍ତେ ଘର ପାଖକୁ ଆଣିଥିଲା।

୭୦ଜଣଙ୍କୁ ଗିରଫ କରାଯାଇଛି

ପୋଲିସର ସୂଚନା ଅନୁସାରେ, ବିଜେପି ଯୁବ ମୋର୍ଚ୍ଚାର ପ୍ରାୟ ୧୫୦-୨୦୦ କର୍ମୀ ସକାଳ ପ୍ରାୟ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦି କାଶ୍ମୀର ଫାଇଲ ଚଳଚ୍ଚିତ୍ର ସମ୍ପର୍କରେ ବିଧାନସଭାରେ କେଜ୍ରିୱାଲଙ୍କ ବିବୃତ୍ତିକୁ ବିରୋଧ କରି ଏହି ପ୍ରଦର୍ଶନ କରାଯାଇଥିଲା । ରାତି ପ୍ରାୟ ୧ଟା ବେଳେ କିଛି ବିକ୍ଷୋଭକାରୀ ବ୍ୟାରିକେଡ୍ ଭାଙ୍ଗି ସିଏମ୍ ବାସଭବନ ବାହାରେ ପହଞ୍ଚିଥିଲେ । ସେମାନେ ଗେଟରେ ରଙ୍ଗ ଫିଙ୍ଗିବା ସହ ଏଠାରେ ଥିବା ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗିଥିଲେ  । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ୭୦ ଜଣଙ୍କୁ ଗିରଫ କରିଥିଲା।

ଏନେଇ ଆପ୍ ବିଜେପିକୁ ଟାର୍ଗେଟ କରିଛି

ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ଯେ ବିଜେପି ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି । ବିଜେପି କର୍ମୀମାନେ ଆଜି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଜେପି କହିଛି ଯେ ଅରବିନ୍ଦ କେଜ୍ରିୱାଲ କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡକୁ ପରିହାସ କରିଛନ୍ତି । କୁହାଯାଉଛି ଯେ ଏହି ପ୍ରଦର୍ଶନ ପରେ ହିଁ କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାର ସାମ୍ନାକୁ ଆସିଛି।