ATM ତାଡି ଲୁଟ ଘଟଣା: ପୁଣି ଥରେ ରିମାଣ୍ଡରେ ଯିବେ ବାଂଲାଦେଶୀ ଲୁଟେରା

1 min read

ଭୁବନେଶ୍ବର: ଭୁବନେଶ୍ୱର ଲିଙ୍ଗିପୁର ATM ତାଡି ଲୁଟ ମାମଲା । ପୁଣି ଥରେ ରିମାଣ୍ଡରେ ଯିବ ବାଂଲାଦେଶୀ ଲୁଟେରା ଖୋକନ ମୁଲ୍ଲା । ୫ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ଧଉଳି ଥାନା ପୋଲିସ । ବିଭିନ୍ନ ଲୁଟ ମାମଲାରେ ସମ୍ପୃକ୍ତି ଥିବା ଜାଣିବା ପରେ ପୁଣି ଥରେ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ ।

ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଲୁଟ ମାମଲା ସହ ଭଦ୍ରକରେ ଏକ ଅପରାଧିକ ମାମଲାରେ ହାତ ଥିବା ସନ୍ଦେହ କରିଛି ପୋଲିସ । ପୂର୍ବରୁ ୫ ଦିନିଆ ରିମାଣ୍ଡରେ ଅନେକ ସତ ଉଗାରିଛନ୍ତି ୨ ବାଂଲାଦେଶୀ ଲୁଟେରା । ଗତ ୫ ରାତିରେ ଧଉଳି ଥାନା ଲିଙ୍ଗିପୁର ଏସବିଆଇ ଏଟିଏମ୍ କୁ ଉଠେଇ ନେଇ ଟଙ୍କା ଲୁଟିଥିଲେ ବାଂଲାଦେଶୀ ଲୁଟେରା ଗ୍ୟାଙ୍ଗ। ସିସିଟିଭି ଫୁଟେଜ ଦେଖା ଯାଉଥିବା ହୁଲିଆ ଓ ସାର୍ଟ ପ୍ୟାଣ୍ଟକୁ ଆଧାର କରି ଏହି ଗ୍ୟାଙ୍ଗର ଦୁଇ ଜଣଙ୍କୁ ବେଙ୍ଗାଲୁରରୁ ଗିରଫ କରିଥିଲା କମିଶନରେଟ ପୋଲିସ ।

ସୂଚନା ଥାଉ କି,  ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କରିଥିଲା ପୋଲିସ । ଗିରଫ ୨ ଅଭିଯୁକ୍ତ ଖୋକନ ମୋଲ୍ଲା ଓ ମୀରଜୁଲା ରେହମାନ ମୋଲ୍ଲା । ଏମାନଙ୍କ ମଧ୍ୟରୁ ଜଣେ କୋଲକାତା ଓ ଅନ୍ୟ ଜଣେ ବାଂଲାଦେଶର ବୋଲି ସୂଚନା ମିଳିଥିଲା । ଏମାନଙ୍କ ସହ ଆଉ ୪ ଜଣ ବାଂଲେଦେଶୀ ମଧ୍ୟ ସାମିଲ ଥିଲେ । ମୋଟ ୬ ଜଣିଆ ଗ୍ୟାଙ୍ଗ ୫ ତାରିଖରେ ଲୁଟ୍‌ ପାଇଁ ଭୁବନେଶ୍ବର ଆସିଥିଲେ । ଲିଙ୍ଗିପୁର ଅଞ୍ଚଳରୁ ଟାଟା ଏସି ଚୋରି କରି ଏଟିଏମ୍ ପାଖରେ ପହଞ୍ଚିଥିଲେ ।

କୌଣସି ପ୍ରକାର ମୋବାଇଲ ବ୍ୟବହାର କରନ୍ତିନି ଏହି ଗ୍ୟାଙ୍ଗ । ପୂର୍ବରୁ ହୋଇଥିବା ପ୍ଲାନ ଅନୁଯାୟୀ ଲୁଟ୍ କରିବା ଦିନ ଗୋଟାଏ ଜାଗାରେ ଏକାଠି ହେଉଥିଲେ । ଫେକ ଆଧାରକାର୍ଡ ଦେଇ ବିଭିନ୍ନ ହୋଟେଲରେ ରହୁଥିଲେ ଏହି ଲୁଟେରା । ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ସ୍ପେଶାଲ ଟିମ୍ ଗଠନ ହୋଇଥିଲା । ସରାଇ ଆପ୍ଲିକେସନ ଲୁଟେରାଙ୍କୁ ଧରିବାରେ ସାହାଯ୍ୟ କରିଛି । ବେଙ୍ଗାଲୁରୁ, ଦିଲ୍ଲୀ ଓ ଗୋଆରେ ମଧ୍ୟ ଲୁଟ କରିଛି ଏହି ଗ୍ୟାଙ୍ଗ। ଫେକ୍ ଡକ୍ୟୁମେଣ୍ଟ କରି ଭାରତକୁ ଆସୁଥିଲେ ଦୁହେଁ । ଦେଶରେ ଲୁଟ୍ କରିବା ପରେ ଲୁଟ୍ ଟଙ୍କାକୁ ବାଂଲାଦେଶ ପଠାଉଥିବା ସୂଚନା ମିଳିଥିଲା ।