ଏଟିଏମ୍‌ରୁ ଟଙ୍କା ଉଠାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ

1 min read

ଆପଣ ଟଙ୍କା ଉଠାଇବା ପାଇଁ ଏ.ଟି.ଏମ୍‌.କୁ ଯାଉଛନ୍ତି କି ? ଯଦି ହଁ , ତେବେ ସାବଧାନ ହୋଇ ଯାଆନ୍ତୁ । ଆଉ ଏ.ଟି.ଏମ୍.କୁ ସଠିକ ଭାବରେ ଯାଞ୍ଚ କରି ଟଙ୍କା ଉଠାନ୍ତୁ । ନହେଲେ ଆପଣଙ୍କ ଏ.ଟି.ଏମ୍‌.ର ସମସ୍ତ ତଥ୍ୟ ସାଇବର କ୍ରୀମିନାଲ ପାଖକୁ ପଳାଇବ । ତାପରେ ଆପଣଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଗାଏବ ହେଇଯିବ । କାରଣ ଏବେ ଅନୁଗୋଳ ଜିଲ୍ଲାର ଏ.ଟି.ଏମ୍‌. ଉପରେ ସାଇବର ଅପରାଧୀଙ୍କ ନଜର ରହିଛି । ଆଉ ସେମାନେ ସାଧାରଣ ଲୋକଙ୍କ ଟଙ୍କା ଲୁଟ୍ କରିବା ପାଇଁ ଏ.ଟି.ଏମ୍.ରେ ଏକ ପ୍ରକାର ଡିଭାଇସ ଲଗାଇଥିବା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଛକ ଉପରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏକ ଏ.ଟି.ଏମ୍‌. ରହିଛି । ଗତ ଶନିବାର ସନ୍ଧ୍ୟାରେ ବାଗଡିଆର ଜଣେ ଯୁବକ ସେହି ଏ.ଟି.ଏମ୍‌.କୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେ ଏ.ଟି.ଏମ୍‌.ରୁ ଟଙ୍କା ଉଠାଇବା ପାଇଁ ପିନ୍‌ ଦେବାବେଳେ ତାଙ୍କର ହାତ ମେସିନରେ ଲାଗିଥିବା ଏକ ଡିଭାଇସରେ ବାଜିଥିଲା । ତେବେ ହାତ ବାଜିବା ଯୋଗୁଁ ଏକ ପ୍ରକାର ଶବ୍ଦ ହୋଇଥିଲା । କାହିଁକି ଶବ୍ଦ ହେଲା ସନ୍ଦେହରେ ନିରିଖେଇ ଦେଖିବାରୁ ସେଠାରେ ଏକ ଡିଭାଇସ ଲାଗିଥିବାର ଦେଖିବାକୁ ପାଇଥିଲେ । ଫଳରେ ସେ ଆଖପାଖ ଦୋକାନୀ ମାନଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ  । ତେବେ ଲୋକମାନେ ଡିଭାଇସ କାଢିବା ବେଳେ ଡିଭାଇସଟି ଅତି ସହଜରେ ବାହାରି ଆସିଥିଲା । ଏହା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ ।

ସାଧାରଣ ଲୋକମାନଙ୍କ ଟଙ୍କା ଲୁଟ୍ କରିବା ପାଇଁ ଏ.ଟି.ଏମ୍‌.ରେ ଏହି ଡିଭାଇସଟି ସାଇବର ଅପରାଧୀ ଲଗାଇଥିବା ସନ୍ଦେହ କରାଯାଉଛି । ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡିଭାଇସଟିକୁ ଜବତ କରିଛି । ତେବେ ଏହି ଡିଭାଇସ କିଏ ଏବଂ କେବେ ଲଗାଇଛି ସେନେଇ ପୋଲିସ ତଦନ୍ତ କରୁଛି । ')}

Leave a Reply