ବଳଳିବ ATM ନିୟମ: ମେ ପହିଲାରୁ ଅର୍ଥ ଉଠାଣ ଓ ବାଲାନ୍ସ ଚେକ୍ କରିବା ହୋଇଯିବ ମହଙ୍ଗା

ଯେଉଁମାନେ ଅର୍ଥ ଉଠାଇବା ପାଇଁ ଏଟିଏମର ବ୍ୟବହାର କରୁଛନ୍ତି, ସେମାନଙ୍କ ପାଇଁ ଜରୁରୀ ଖବର । ଆସନ୍ତା ମାସ ୧ ତାରିଖରୁ ଏଟିଏମ ନିୟମ ବଦଳିବାକୁ ଯାଉଛି । ଏହାଫଳରେ ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ତରଫରୁ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ (ଏନପିସିଆଇ)ର ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଅର୍ଥ ଉଠାଇବା ଏବେ ମହଙ୍ଗା ହୋଇଯିବ ।

ମେ ୧ ତାରିଖରୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ଧାର୍ଯ୍ୟ ଲିମିଟ ପରେ ଅର୍ଥ ଉଠାଇଲେ ଅଧିକ ଚାର୍ଜ ଦେବାକୁ ପଡ଼ିବ । ପୂର୍ବରୁ ପୂର୍ବରୁ ଏଥିପାଇଁ ୧୭ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ତାହା ୧୯ ଟଙ୍କା ହୋଇଯିବ । ଏଥିସହିତ ବାଲାନ୍ସ ଚେକ୍ କରିବା ଚାର୍ଜ ମଧ୍ୟ ୭ ଟଙ୍କାରୁ ବଢ଼ି ୯ ଟଙ୍କା କରାଯାଇଛି । ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଅନ୍ୟ ଏଟିଏମରୁ ମାସକରେ ମେଟ୍ରୋ ସହରରେ ୫ ଥର ଲିମିଟ ଦେଉଥିବା ବେଳେ ନନ୍ ମେଟ୍ରୋ ସହରରେ ୩ ଥର ଫ୍ରି ଟ୍ରାଞ୍ଜାକସନ ସୁବିଧା ଦେଇଥାଏ । ଏହାଠାରୁ ଅଧିକ ଟ୍ରାଞ୍ଜାକସନ କଲେ ଅଧିକ ଚାର୍ଜ ଲାଗିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କ’ଣ ପାଇଁ ଏହି ଚାର୍ଜ ବଢ଼ିବ? ଏଟିଏମ୍ ଚାର୍ଜ ବଢ଼ିବାର କାରଣ ହେଉଛି, ଏଟିଏମ ନେଟଓ୍ବାର୍କ ଅପରେଟର ଓ ହ୍ବାଇଟ ଲେବଲ ଏଟିଏମ କମ୍ପାନୀଙ୍କ ତରଫରୁ ଇଣ୍ଟରଚେଞ୍ଜ ଫିସ୍ ବୃଦ୍ଧି ପାଇଁ ଦାବି କରିବା । ସେମାନଙ୍କର ମେଣ୍ଟେନାନ୍ସ ଓ ଅପରେସନ ଖର୍ଚ୍ଚ ପୂର୍ବାପେକ୍ଷା ବଢ଼ିଯାଇଥିଲା । ଏପରି ସ୍ଥିତିରେ ଏନପିସିଆଇ ଏହି ଦାବିକୁ ଆରବିଆଇ ନିକଟରେ ଉପସ୍ଥାପନ କରିଥିଲା । ଏହାପରେ କେନ୍ଦ୍ରୀୟ ବ୍ୟାଙ୍କ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଯେଉଁମାନେ ଅନ୍ୟ ବ୍ୟାଙ୍କର ଏଟିଏମ ଉପରେ ଅଧିକ ନିର୍ଭର କରୁଥିଲେ, ଏବେ ସେମାନେ ବେଶି ପ୍ରଭାବିତ ହେବେ ।